ଅପେକ୍ଷାର ଅନ୍ତ ! ଝାରସୁଗୁଡାରେ ଓଡ଼ିଶାର ଦ୍ୱିତୀୟ ବିମାନବନ୍ଦରର ଲୋକାର୍ପଣ, ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନାମରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି ।

106

କନକ ବ୍ୟୁରୋ: ଉଦ୍-ଘାଟିତ ହେଲା ଝାରସୁଗୁଡ଼ା ବିମାନବନ୍ଦର । ଓଡ଼ିଶାର ଏହି ଦ୍ୱିତୀୟ ବିମାନବନ୍ଦରକୁ ଉଦ୍-ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ଶକ୍ତିକେନ୍ଦ୍ର ଭାବେ ଜଣାଶୁଣା ଝାରସୁଗୁଡ଼ା ଜିଲ୍ଲାର ଏହି ନୂତନ ବିମାନବନ୍ଦରକୁ ଓଡ଼ିଶା ସରକାରଙ୍କ ସହଯୋଗରେ ନିର୍ମାଣ କରାଯାଇଛି । ତେଣୁ ବିମାନବନ୍ଦର ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଦ୍ୱାରା ୨୧୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଛି । ଏହାସହ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଝାରସୁଗୁଡ଼ା ବିମାନବନ୍ଦରକୁ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଓଡ଼ିଶା ସରକାରଙ୍କର ୭୫ କୋଟି ଟଙ୍କାର ଯୋଗଦାନ ରହିଛି । ୧୦୨୭.୫ ଏକର ପରିମିତ ଜମିରେ ନିର୍ମିତ ଏହି ବିମାନବନ୍ଦରର ଟର୍ମିନାଲ୍ ବିଲ୍ଡିଂ ୪୦୦୦ ବର୍ଗ କିଲୋମିଟର । ସବୁ ପାଗରେ କାର‌୍ୟ୍ୟକ୍ଷମ ହେବା ଉପଯୋଗୀ ବିକଶିତ ଏହି ବିମାନବନ୍ଦରରେ ଏ-୩୨୦ ଟାଇପ୍ ବିମାନ ରାତିରେ ଅବତରଣ ଓ ଉଡ଼ାଣ କରିପାରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି । ଝାରସୁଗୁଡା ବିମାନବନ୍ଦରକୁ ନିୟମିତ ଉଡ଼ାଣ କରିବା ପାଇଁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ ।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯାତ୍ରୀ ସୁବିଧା ବ୍ୟବସ୍ଥା ସହ ଟର୍ମିନାଲ୍ ବିଲ୍ଡିଂ ଏବଂ ଆର୍ସିସି ସଂରଚନା ଏଠାରେ ରହିଛି । ଏହି ବିଲ୍ଡିଂର ଆଭ୍ୟନ୍ତରରେ ସ୍ଥାନୀୟ ହସ୍ତକଳା, କଳାକୃତି ଏବଂ ରାଜ୍ୟର ପର‌୍ୟ୍ୟଟନ ସ୍ଥଳୀ ସମ୍ପର୍କରେ ପ୍ରଦର୍ଶିତ ହେବା ସହ ଏହି ଅଞ୍ଚଳର ସମୃଦ୍ଧ ଐତିହ୍ୟ ଓ ପରମ୍ପରା ସୂଚିତ କରାଯାଇଛି । ଯାତ୍ରୀଙ୍କୁ ପ୍ରକୃତି ସହିତ ଯୋଡ଼ିବାର ପ୍ରୟାସ କରାଯାଇଛି ଏଠାରେ । ୨୩୯୦ ମିଟର ଦୈର୍ଘ୍ୟ ବିଶିଷ୍ଟ ରନୱେ ଥିବା ଏହି ବିମାନବନ୍ଦରରେ ଏବି-୩୨୦ ଟାଇପ୍ ବିମାନ ଅବତରଣ କରିପାରିବ । ଟର୍ମିନାଲ୍ ବିଲ୍ଡିଂରେ ୫ଟି ଚେକ୍-ଆଉଟ୍ କାଉଂଟର ଏବଂ ଏକ ଆରାଇଭାଲ୍ କାରାଉଜେଲ୍ ଥିବାବେଳେ ୩୦୦ ଯାତ୍ରୀଙ୍କୁ ଆୟତ କରିବାର ଦକ୍ଷତା ରହିଛି । ବିମାନବନ୍ଦରରେ ବିକଶିତ ଅନ୍ୟାନ୍ୟ ଭିତିଭୂମି ମଧ୍ୟରେ ନୂତନ ଟର୍ମିନାଲ୍ ବିଲ୍ଡିଂ ସହିତ ଆଇସୋଲେସନ ବେ’, ନୂତନ ଟେକ୍ନିକାଲ୍ ବ୍ଲକ ତଥା ସେଂଟ୍ରାଲ୍ ଟାୱାର୍, ଫାୟାର ଷ୍ଟସନ ବର୍ଗ-୭, ଏମ୍ଟି ୱାର୍କସପ୍, ଆବଶ୍ୟକ ନାଭିଗେସନ ତଥା ଭିଜୁଆଲ ଏଡ୍ ରହିଛି ।

ଉଦ୍ୟାନ ପାଇଁ ବ୍ୟବହାର ଉପଯୋଗୀ ତଥା ବାୟୁ-ନିୟନ୍ତ୍ରଣ ଉଦ୍ଦେଶ୍ୟରେ ପ୍ରକ୍ରିୟାକୃତ ଜଳ, ଭୂତଳ ଜଳସ୍ତର ବଜାୟ ରଖିବା ଲାଗି ବର୍ଷା ଜଳ ଅମଳ ବ୍ୟବସ୍ଥା, ବର୍ଜ୍ୟ ପରିଚଳାନା ପ୍ଲାଂଟ, ସୌର ଶକ୍ତି ପ୍ଳାଂଟ, ଶକ୍ତି ଉପଯୋଗୀ ଚିଲର୍ ଏବଂ ବିମାନବନ୍ଦର ପାଶ୍ୱର୍ ଅଞ୍ଚଳରେ, ସବୁଜ ବଳୟ ଭଳି ଟର୍ମିନାଲ୍ ବିଲ୍ଡିଂରେ ପରିବେଶ ଉପଯୋଗୀ ଅନେକ ବ୍ୟବସ୍ଥା କରାଯାଇଛି । ଝାରସୁୁଗଡ଼ାରେ ଏହି ନୂତନ ବିମାନବନ୍ଦର ଝାରସୁଗୁଡ଼ା ଜିଲାର ବିକାଶରେ ଏକ ମହତ୍ୱ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ଏହି ଅଂଚଳରେ ବର୍ଦ୍ଧିଷ୍ଣୁ ପର‌୍ୟ୍ୟଟନ ଶିଳ୍ପକୁ ତ୍ୱରାନ୍ୱିତ କରିବ ।

ଝାରସୁଗୁଡ଼ା କାର‌୍ୟ୍ୟକ୍ଷମ ଓଡ଼ିଶାର ଦ୍ୱିତୀୟ ବିମାନବନ୍ଦର ଦ୍ୱାରା ଭୁବନେଶ୍ୱର, ରାଇପୁର ଓ ରାଂଚିକୁ ‘ଉଡ଼ାନ୍’ ଯୋଜନାରେ ସଂଯୁକ୍ତ ହୋଇପାରିବ । ଝାରସୁଗୁଡ଼ା ବ୍ୟତୀତ କୋରାପୁଟ ଜିଲ୍ଲାର ଜୟପୁର, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଏବଂ କଳାହାଣ୍ଡି ଜିଲ୍ଲାର ଉତ୍କେଲାରେ ବିମାନବନ୍ଦର ବିକଶିତ କରାଯାଇ ରାଜ୍ୟର ଅଗମ୍ୟ ଅଂଚଳକୁ ବିମାନ ଯୋଗାଯୋଗ ବ୍ୟବସ୍ଥା କରାଯାଉଛି । ଏହି ଯୋଜନାରେ ଓଡ଼ିଶାରେ ୪ଟି ବିମାନବନ୍ଦରର ବିକାଶ ଲାଗି ୩୭୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଝାରସୁଗୁଡ଼ା ବିମାନବନ୍ଦର ଇଣ୍ଡିଆନ୍ ଇଂଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ (ଆଇଆଇଏମ୍) ସମ୍ବଲପୁରର ଫାକଲ୍ଟି ମେମ୍ବରଙ୍କ ପାଇଁ ସହାୟକ ହୋଇପାରିବ । ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ ଏବଂ ଅନ୍ୟ ଶିଳ୍ପସଂସ୍ଥା ପାଇଁ ଏହି ବିମାନବନ୍ଦର ମଧ୍ୟ ଉପଯୋଗୀ ହେବ । ଉଡ଼ାନ୍ (ଉଡ଼େ ଦେଶ କା ଆମ ନାଗରିକ ) ଅଣସଂରକ୍ଷିତ ପଥରେ ବିମାନ ଯୋଗାଯୋଗ, ଆଂଚଳିକ କ୍ଷେତ୍ରକୁ ଯୋଗାଯୋଗ, ସମତୁଳ ଆଂଚଳିକ ବିକାଶକୁ ପ୍ରୋତ୍ସାହନ ଏବଂ ସମସ୍ତଙ୍କୁ ସୁବିଧାରେ ବିମାନ ଯାତ୍ରା ଉପଲବ୍ଧ କରାଇବା ଲାଗି ଏକ ପ୍ରମୁଖ ଯୋଜନା । ପ୍ରଧାନମନ୍ତ୍ରୀ ସିମ୍ଲା-ଦିଲ୍ଲୀ କ୍ଷେତ୍ରରେ ୨୦୧୭ ଏପ୍ରିଲ୍ ୨୭ ତାରିଖରେ ପ୍ରଥମ ‘ଉଡ଼ାନ’ ବିମାନର ଶୁଭାରମ୍ଭ କରିଥିଲେ ।