ଅସହ ହେଉଛି ବିମାନ ଯନ୍ତ୍ରଣା ! ୭ ଘଂଟା ବିଳମ୍ବରେ ଆସିବା ପରେ ବାତିଲ ହେଲା ସ୍ପାଇସ ଜେଟ୍, ବିମାନବନ୍ଦରରେ ଯାତ୍ରୀଙ୍କ ହଟ୍ଟଗୋଳ

Advertisment
ଅସହ ହେଉଛି ବିମାନ ଯନ୍ତ୍ରଣା ! ୭ ଘଂଟା ବିଳମ୍ବରେ  ଆସିବା ପରେ ବାତିଲ ହେଲା ସ୍ପାଇସ ଜେଟ୍, ବିମାନବନ୍ଦରରେ ଯାତ୍ରୀଙ୍କ ହଟ୍ଟଗୋଳ

କନକ ବ୍ୟୁରୋ : ଝାରସୁଗୁଡ଼ା ବିମାନବନ୍ଦରରେ ବିମାନସେବା ପ୍ରହସନ ପାଲଟିବାରେ ଲାଗିଛି। ବାରମ୍ବାର ବିଳମ୍ବ ଓ ବାତିଲକୁ ନେଇ ପୂର୍ବରୁ ବିମାନ ଯାତ୍ରୀ ଏହି ବିମାନବନ୍ଦର ପ୍ରତି ବିମୁଖ ଥିବା ବେଳେ ସ୍ପାଇସ୍ ଜେଟ୍ ପୁଣିଥରେ ଯାତ୍ରୀଙ୍କୁ ଧୋକା ଦେଇଛି। ରବିବାରର ବିମାନସେବା ପୂର୍ବର ସବୁ ଯନ୍ତ୍ରଣାକୁ ଟପି ଯାଇଛି ବୋଲି ବହୁ ଯାତ୍ରୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ହାଇଦ୍ରାବାଦରୁ ଝାରସୁଗୁଡ଼ା ଆସି କୋଲକାତା ଯାଉଥିବା ସ୍ପାଇସ୍ ଜେଟ୍ ଗତ କିଛି ଦିନ ହେଲା ବାରମ୍ବାର ବିଳମ୍ବରେ ଆସୁଥିବା ଓ ବାତିଲ ହେଉଥିବାରୁ ପୂର୍ବରୁ ଟିକେଟ କରି ବିମାନବନ୍ଦରରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହୁଥିବା ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିମାନଟି କୋଲକାତାରୁ ଝାରସୁଗୁଡ଼ା ୩.୫୦ରେ ଆସି ୪.୧୦ରେ ହାଇଦ୍ରାବାଦ ଯାଇଥାଏ। ପୁଣି ହାଇଦ୍ରାବାଦରୁ ଝାରସୁଗୁଡ଼ା ୮.୨୦ରେ ଆସି ୮.୪୦ରେ କୋଲକାତା ଅଭିମୁଖେ ଯାତ୍ରା କରିଥାଏ। ମାତ୍ର ଗତକାଲି ବିମାନଟିର ବିଳମ୍ବ ଜନିତ ଯନ୍ତ୍ରଣା ସବୁ ସୀମା ଟପି ଯାଇଥିଲା। ପ୍ରଥମେ ଏହା କୋଲକାତାରୁ ବହୁ ଘଣ୍ଟା ବିଳମ୍ବରେ ଆସିଥିଲା। ସେହି ଅନୁଯାୟୀ ହାଇଦ୍ରାବାଦ ମଧ୍ୟ ବିଳମ୍ବରେ ଯାଇଥିଲା।

ପୁଣି ସେଠାରୁ ୭ ଘଣ୍ଟା ବିଳମ୍ବରେ ଅର୍ଥାତ୍ ରାତି ୧ଟାରେ ବାହାରି ଝାରସୁଗୁଡ଼ାରେ ରାତି ୩ଟାରେ ପହଞ୍ଚିଥିଲା। ଉକ୍ତ ବିମାନରେ ଝାରସୁଗୁଡ଼ାରୁ କୋଲକାତା ଯିବାକୁ ଅପେକ୍ଷା କରିଥିବା ଯାତ୍ରୀମାନେ ସନ୍ଧ୍ୟାରୁ ଆସି ଭୋକ ଉପାସରେ ଅପେକ୍ଷା କରି ରହିଥିଲେ। ରାତି ୩ଟାରେ ବିମାନ ପହଞ୍ଚିବା ପରେ ସେମାନେ ତହିଁରେ ଯାଇ ବସି ବି ଯାଇଥିଲେ। କିନ୍ତୁ ସେତେବେଳେ ପାଇଲଟ୍ ବିମାନ ଉଡ଼ାଣ କରିବାକୁ ମନା କରିଥିଲେ। ତାଙ୍କ ଉଡ଼ାଣ ସମୟ ସୀମା ସଂପୂର୍ଣ୍ଣ ହୋଇ ଯାଇଥିବାରୁ ସେ ଏଭଳି କରିଥିଲେ। ଫଳରେ ସୋମବାର ଭୋର୍ ପ୍ରାୟ ୫ଟା ବେଳେ ବିମାନ ବାତିଲ ସଂପର୍କରେ ଘୋଷଣା କରାଯାଇଥିଲା। ସ୍ପାଇସ୍ ଜେଟର ଏଭଳି ପଦକ୍ଷେପକୁ ଉପସ୍ଥିତ ଯାତ୍ରୀମାନେ ତୀବ୍ର ବିରୋଧ କରି ହଟ୍ଟଗୋଳ କରିଥିଲେ। ଏ ସଂପର୍କରେ ବିମାନବନ୍ଦର ନିର୍ଦ୍ଦେଶକ ଏସ୍.କେ. ଚୌହାନଙ୍କୁ ପଚାରିବାରେ ଗତ କିଛି ଦିନ ହେଲା ଉତ୍ତର ପୂର୍ବାଞ୍ଚଳରେ ପାଗ ଅନୁକୂଳ ରହୁ ନଥିବାରୁ ବିମାନ ଚଳାଚଳରେ ବିଳମ୍ବ ଘଟୁଛି। ଅନ୍ୟପକ୍ଷରେ ପାଇଲଟଙ୍କ ଡ୍ୟୁଟି ସମୟ ସଂପୂର୍ଣ୍ଣ ହେବା ପରେ ତାଙ୍କୁ ବିମାନ ଚଳାଇବା ପାଇଁ ବାଧ୍ୟ କରିବା ମଧ୍ୟ ଡିଜିସିଏ ନିୟମର ଉଲ୍ଲଙ୍ଘନ ଅଟେ। ଡ୍ୟୁଟି ସମୟ ପରେ ବିମାନ ଚଳଇବା ବିପଜ୍ଜନକ। ତେବେ ଏଭଳି ବିଳମ୍ବରେ ସୁଧାର ଆଣବା ପାଇଁ ବିମାନ ସେବା କମ୍ପାନିମାନଙ୍କୁ ଅବଗତ କରାଯାଇଥିବା ଶ୍ରୀ ଚୌହାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe