ଝାରସୁଗୁଡ଼ାରୁ ଆସିଲା ତାଲାବନ୍ଦ ସମୟର କରୁଣ ଚିତ୍ର । ତରଭୁଜ ଦୋକାନ ବନ୍ଦ କରିବାରେ ସାମାନ୍ୟ ବିଳମ୍ବ ହେବାରୁ ବୃଦ୍ଧ ଫଳ ବ୍ୟବସାୟୀଙ୍କୁ ମାଡ଼ ମାରିଲେ ଅତିରିକ୍ତ ତହସିଲଦାର ।

583

କନକ ବ୍ୟୁରୋ: କରୋନା କାଳରେ ଜଣଙ୍କ ରୋଜଗାର ବନ୍ଦ ହୋଇଗଲେ କେତେ ସମସ୍ୟା ହୋଇଥାଏ, ତାହା ମାସିକ ନିର୍ଦ୍ଧାରିତ ରୋଜଗାର କରୁଥିବା ଲୋକ ହୁଏତ ବୁଝି ପାରିବେ ନାହିଁ । ଏପରି ସମୟରେ ଝାରସୁଗୁଡାରୁ ଆସିଛି ଏପରି ଖବର, ଯାହା ସମସ୍ତଙ୍କୁ ଏ ବିଷୟରେ ଭାବିବାକୁ ବାଧ୍ୟ କରିଛି । ବଜାର ଉପରେ ତରଭୁଜ ବିକ୍ରି କରୁଥିବା ବୃଦ୍ଧଙ୍କୁ ତାଗିଦ୍ କରିବାକୁ ଯାଇ, ମାଡ ମାରିଲେ ଅତିରିକ୍ତ ତହସିଲଦାର । ବୃଦ୍ଧଙ୍କ ଓଜନ ମାପ ଯନ୍ତ୍ର ବି ଛଡାଇନେଲେ, ଗାଳି ଗୁଲଜ ବି କରିଥିଲେ । ହେଲେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅତିରିକ୍ତ ଜିଲ୍ଲାପାଳ ଘଟଣାରେ ହସ୍ତକ୍ଷେପ କରିଛନ୍ତି ।

ଫଳ ବ୍ୟବସାୟୀଙ୍କୁ ମାରିଲେ ତହସିଲଦାର । ଝାରସୁଗୁଡା ବମ୍ବେ ଛକରେ ଜଣେ ତରଭୁଜ ବିକାଳିଙ୍କୁ ଅତିରିକ୍ତ ତହସିଲଦାର ଯୋବିତା ତିର୍କୀ ବାଡିରେ ପିଟୁଥିବାର ଭିଡିଓ ଏବେ ଭାଇରଲ ହେଉଛି । ଲକଡାଉନ ସମୟରେ ବୃଦ୍ଧ ତରଭୁଜ ବିକାଳି ଜଣକ ରାସ୍ତା କଡରେ ବସି ବିକ୍ରି କରୁଥିବାରୁ ଉତକ୍ଷିପ୍ତ ହୋଇପଡିଥିଲେ ଅତିରିକ୍ତ ତହସିଲଦାର ।

ଦୋକାନୀଙ୍କ ଅଭିଯୋଗ ଅନୁସାରେ ସେ ଦୋକାନ ବନ୍ଦ କରିବାକୁ ଯାଉଥିବାବେଳେ ସେଠାରେ ପହଂଚି ଗାଳିଗୁଲଜ କରିଥିଲେ ଅତିରିକ୍ତ ତହସିଲଦାର । ଦଣ୍ଡି, ବଟକରା ଓ ମାପଯନ୍ତ୍ର ସବୁ ଜବତ କରିଥିଲେ । ଦୋକାନି ଏହାକୁ ବିରୋଧ କରିବାରୁ ବାଡିରେ ମାଡ ମାରିଥିଲେ ଅତିରିକ୍ତ ତହସିଲଦାର । ଏପରିକି ପାଖରେ ଥିବା ନାବାଳକ ପୁଅକୁ ମଧ୍ୟ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଭିଡିଓ ଭାଇରାଲ ହେବାପରେ ସଂପୃକ୍ତ ତହସିଲଦାର ଓ ଦୋକାନୀଙ୍କୁ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟକୁ ଡକାଇ ଆଲୋଚନା କରିଛନ୍ତି ।