ଝାରସୁଗୁଡାରେ ଜୀବନ ନେଉଛି ୪୯ ନମ୍ବର ଜାତୀୟ ରାଜପଥ । ୪ ବର୍ଷରେ ୨୦୮ ଜଣଙ୍କ ମୃତ୍ୟୁ

237

କନକ ବ୍ୟୁରୋ : ଝାରସୁଗୁଡାରୁ ଛତିଶଗଡକୁ ସଂଯୋଗ କରୁଥିବା ୪୯ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି । ପ୍ରତ୍ୟେକ ଦିନ ଶହ ଶହ କୋଇଲା ବୋଝେଇ ଗାଡି ଯା’ଆସ କରୁଥିବା ଏହି ରାସ୍ତା ନେଉଛି ମୁଣ୍ଡ ପରେ ମୁଣ୍ଡ । ରାସ୍ତାକଡରେ କୋଇଲା ବୋଝେଇ ଗାଡି ମାସମାସ ଧରି ଅଟକ ରହିବା, ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ସାଙ୍ଗକୁ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

୪୯ ନମ୍ବର ଜାତୀୟ ରାଜପଥ କଡରେ ଥିବା ଝାରସୁଗୁଡା ଥାନା, ସଦର ଥାନା, କୋଲାବିରା ଥାନା, ବ୍ରଜରାଜନଗର ଥାନା, ବେଲପାହାଡ ଥାନା, ଲଖନପୁର ଥାନା, ରେଙ୍ଗାଲି ଥାନା ଅଧିନରେ ପ୍ରତିଦିନ ଛୋଟବଡ ଦୁର୍ଘଟଣାରେ ଧନ ଜୀବନ ନଷ୍ଟ ହେଉଛି । ଝାରସୁଗୁଡା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦ରୁ ୨୪ ଜାନୁଆରୀ ମାସ ମଧ୍ୟରେ ୨୦୮ ଜଣଙ୍କ ଜୀବନ ହାନୀ ଘଟିଛି । ୧୬୮ଜଣ ଗଭୀର ଆହାତ ହୋଇଥିବା ବେଳେ ୧୪୪ ଜଣ ସାମାନ୍ୟ ଆହାତ ହୋଇଛନ୍ତି । ଦୁଇ ଥାକିଆ ରାସ୍ତାକୁ ଚାରି ଥାକିଆରେ ପରିଣତ କରାଗଲେ ଦୁର୍ଘଟଣାକୁ ରୋକା ଯାଇପାରିବ ବୋଲି ସ୍ଥାନୀୟ ଲୋକ ମତ ପ୍ରକାଶ କରିଛନ୍ତି ।

କୋଇଲା ପରିବହନ କରୁଥିବା ଟ୍ରକ୍ ଗୁଡିକର ପଛ ଲାଇଟ ଜଳୁନଥିବା, କୌଣସି ଟ୍ରକରେ ଖଲାସି ନଥିବା, କୋଇଲା ଓ ପାଉଁଶ ବୋଝେଇ ଟ୍ରକ୍ ଡାଲାକୁ ତାରପୋଲିନରେ ଢଙ୍କା ନଯିବା ମଧ୍ୟ ଦୁର୍ଘଟଣାର ଗୋଟିଏ ଗୋଟିଏ କାରଣ ବୋଲି ଜଣାପଡିଛି ।