ଜେଲ ଭିତରେ ନାଚଗୀତର ଆସର : ଝାରପଡା କାରଗାରର ଭିଡିଓ ଭାଇରାଲ; ଚିଲମରୁ ଉଠୁଛି ଧୂଆଁ, କଏଦୀ ଏକାଠି ବସି ହେଉଛନ୍ତି ମସଗୁଲ

837

କନକ ବ୍ୟୁରୋ : ଜେଲ ଭିତରେ ଚାଲିଛି ନାଚ ଗୀତର ଆସର । ସଂକିର୍ତନ ସାଙ୍ଗକୁ ଗଂଜେଇ ଚିଲମ ଧୂଆଁ ଉଡ଼ୁଛି ଜେଲ ଭିତରେ । ଝାରପଡ଼ା ଜେଲ ଭିତରର ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ପଟେ ଜେଲ ଭିତରେ କରୋନା ସଂକ୍ରମଣ ବଢୁଛି । ଅନ୍ୟପଟେ ଗଂଜେଇ ଧୂଆଁ ସାଙ୍ଗକୁ ନାଚ ଗୀତର ଆସର ଦେଖିବାକୁ ମିଳୁଛି । ତାହା ପୁଣି ଜେଲ ଭିତରେ ।

ତେବେ ଜେଲ ଭିତରର ଏହି ୩ଟି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓ ରେ ୨ଜଣଙ୍କ ଠାରୁ ଟଙ୍କା ନେଇ କିଛି ଜିନିଷ ଦେଉଥିବା ଜଣାପଡ଼ିଛି । ଯଦିଓ ଭିଡ଼ିଓଟି କେବେ ସୁଟିଂ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ, ତେବେ ଗତମାସ ପଣା ସଂକ୍ରାନ୍ତିରେ ଏଭଳି ନାଚଗୀତର ଆସର ହୋଇଥିବା ସନ୍ଦେହ କରାଯାଉଛି । କିଛି ଦିନ ତଳେ ଅପରେସନ କ୍ଲିନ୍-ଅପରେ ଚଢାଉ ବେଳେ ୧୩ଟି ମୋବାଇଲ ଜବତ କରିଛି ଜେଲ ବିଭାଗର ସ୍ୱତନ୍ତ୍ର ଟିମ୍ ।

ଏଠି ପ୍ରଶ୍ନ ଉଠୁଛି ଜେଲ ଭିତରକୁ ଏତେ ସଂଖ୍ୟାରେ ମୋବାଇଲ ଫୋନ ଗଲା କେମିତି । କଡ଼ାକଡ଼ି ଯାଂଚ ପରେ ବି ଗଂଜେଇ କିଭଳି ଯାଉଛି ତାକୁ ନେଇ ପ୍ରଶ୍ନ ଉଠୁଛି । ସେପଟେ ଜେଲ ବିଭାଗ କହିଛି , ଭିଡ଼ିଓକୁ ନେଇ ତଦନ୍ତ ଚାଲିଛି । ଏହା ପୁରୁଣା ଭିଡ଼ିଓ ହୋଇଥାଇପାରେ । ଜେଲରେ ରେଡ଼ ପରେ ଜାଣି ଶୁଣି ଏହାକୁ ଭାଇରାଲ କରାଯାଉଛି ।