ଜଣେ ଶ୍ରମିକଙ୍କ କରୁଣ କାହାଣୀ… ଦିଲ୍ଲୀ ନେଇ ଫେରାର ହୋଇଗଲା ଦଲାଲ, ୫ମାସ ଚାଲିବା ପରେ ଘରେ ପହଞ୍ଚିଲେ ପାହାଡିୟା

196

ଘରେ ପହଞ୍ଚିବାପାଇଁ ଝାଡ଼ଖଣ୍ଡର ଜଣେ ଶ୍ରମିକ ଦୀର୍ଘ ୧୨୦୦ କିମି ବାଟ ଚାଲିଛନ୍ତି । ପାଖରେ ପଇସା ନଥିବାରୁ ଏବଂ ନିଜ ସମସ୍ୟା ସମ୍ପର୍କରେ ଅନ୍ୟ କାହାକୁ କିଛି ଜଣାଇବାରେ ଅସମର୍ଥ ହୋଇ ବ୍ୟକ୍ତି ଜଣଙ୍କ ଦୀର୍ଘ ୫ ମାସ ଧରି ଚାଲିଛନ୍ତି । ଉକ୍ତ ବ୍ୟକ୍ତିଙ୍କ ନାମ ବେଜରୋମ୍‌ ବାମ୍‌ଦା ପାହାଡିୟା । ଘର ଝାଡ଼ଖଣ୍ଡରେ । ୫୬ ବର୍ଷୀୟ ପାହାଡିୟା ଜଣେ ଦଲାଲ୍‌ଙ୍କ ଦ୍ବାରା ଫସି ଯାଇଥିଲେ । ଶ୍ରମିକ ଭାବେ କାମ କରିବାପାଇଁ ତାଙ୍କୁ ଜଣେ ଦଲାଲ ଦିଲ୍ଲୀ ନେଇଯାଇଥିଲେ । କିନ୍ତୁ ସେଠାରୁ ତାଙ୍କ ପାଖରେ ଥିବା ସବୁ ଟଙ୍କା ଓ ଜିନିଷପତ୍ର ଚୋରି ହୋଇଗଲା । ଦଲାଲ୍‌ ଜଣଙ୍କ ମଧ୍ୟ ଧରା ଛୁଆଁ ଦେଇନଥିଲେ ।

ଅନ୍ୟ ଉପାୟ ନପାଇ ସେ ଘରକୁ ଚାଲିଚାଲି ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଝାଡ଼ଖଣ୍ଡର ସାହିବଗଂଜ ପହଞ୍ଚିବାପାଇଁ ସେ ରେଳ ଧାରଣା କଡ଼ରେ ଚାଲିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାୟ ୫ ମାସ ଧରି ଚାଲିଥିବା ପାହାଡିୟାଙ୍କ ଏଭଳି ଦୁର୍ଦ୍ଦଶା ସଂପର୍କରେ ଜାଣିପାରି ରୋଟି ବ୍ୟାଙ୍କ୍‌ ନାମକ ଏକ ଏନ୍‌ଜିଓ ପଦକ୍ଷେପ ନେଇଥିଲା । ଏନ୍‌ଜିଓ ପକ୍ଷରୁ ତାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବା ସହ ସାହିବଗଂଜ ଫେରାଇ ଆଣିବାପାଇଁ ବ୍ୟବସ୍ଥା ହୋଇଥିଲା। ପାହାଡିୟା କହିଛନ୍ତି, ଦୀର୍ଘ ୫ ମାସ ଧରି ସେ ଦିନ ରାତି ରେଳ ଧାରଣା କଡ଼ରେ ଚାଲିଥିଲେ। ଖୁବ୍‌ କମ୍‌ ଖାଦ୍ୟ ଏବଂ ପାଣି ପିଇ ସେ ବଞ୍ଚିଥିଲେ।