ଝାଡ଼ଖଣ୍ଡରେ ନୂଆ ସରକାର, ତଥାପି କମିନି ମହାମେଂଟର ସମସ୍ୟା । ଘୋଡ଼ା ବେପାର ଭୟରେ ରାଂଚିରୁ ଯାଇ ହାଇଦ୍ରାବାଦରେ ପହଁଚିଲେ ୪୦ ବିଧାୟକ

133

କନକ ବ୍ୟୁରୋ : ଥମୁନି ଝାଡ଼ଖଣ୍ଡ ରାଜ୍ୟ ରାଜନୀତି । ମୁଖ୍ୟମନ୍ତ୍ରୀ ବଦଳିଛନ୍ତି ତଥାପି ଜାରି ରହିଛି ହଟଚମଟ । ହେମନ୍ତ ସୋରେନଙ୍କୁ ଇଡି ରିମାଣ୍ଡରେ ନେବା ପରେ ଚମ୍ପାଇ ସୋରେନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ବନିଛନ୍ତି । ତେବେ ଚମ୍ପାଇ ସରକାରଙ୍କ ସ୍ଥିତି ଏବେ ବି ଟଳମଟଳ ରହିଛି । ଜେଏମଏମକୁ ସରକାର ଭାଙ୍ଗିବା ଭୟ ଭିତରେ ୫ ତାରିଖ ହେବ ଆସ୍ଥାଭୋଟ । ସେପଟେ ଶକ୍ତିପରିକ୍ଷା ପୂର୍ବରୁ ମେଂଟର ୪୦ଜଣ ବିଧାୟଙ୍କୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱ ମେଂଟ ସରକାର ୪୦ଜଣ ବିଧାୟକଙ୍କୁ ଶକ୍ତିପରୀକ୍ଷା ପୂର୍ବରୁ ରାଂଚିରୁ ନେଇ ହାଇଦ୍ରାବାଦରେ ପହଁଚିଛି ।

ଝାଡ଼ଖଣ୍ଡ ବିଧାନସଭାରେ ମୋଟ ୮୧ ଆସନ ରହିଛି । ଏହି ହିସାବରେ ମ୍ୟାଜିକ ନମ୍ବର ୪୧ । ଜେଏମଏମର ୨୯ ବିଧାୟକ, କଂଗ୍ରେସର ୧୭ ବିଧାୟକ, ଆରଜେଡିର ଜଣେ, ସିପିଆଇରୁ ଜଣେ ବିଧାୟକ ଅଛନ୍ତି । ସେମାନଙ୍କ ମୋଟ ସଂଖ୍ୟା ୪୮ ଅଟେ । ୧ ଆସନ ଖାଲି ପଡିଛି । ଜେଏମଏମ କହିଛି ଘୋଡ଼ା ବେପାର ଭୟ ରହିଛି । ତେଣୁ ବିଧାୟକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି ଓ ଆସ୍ଥାଭୋଟ ପାଇଁ ପ୍ରସ୍ତୁତ କରାଯାଉଛି । ସେପଟେ ମହାମେଂଟ ଉପରେ ଦୁର୍ନୀତିର ଅଭିଯୋଗ ଆଣି ଟାର୍ଗେଟ କରିଛି ବିଜେପି ।

ଝାଡ଼ଖଣ୍ଡ ରାଜନୀତି ଝଡ଼ ଭିତରେ କିଭଳି ସରକାରକୁ ସୁରକ୍ଷିତ ରଖାଯିବ ଏବେ ସେ ଚିନ୍ତା ଜେଏମଏମକୁ ଘାରିଛି । ପୂର୍ବଥର ପରି ଏଥରକ ମଧ୍ୟ ସଫଳତା ପାଇବା ଉଦ୍ଦେଶ୍ୟରେ ପ୍ରାଣପ୍ରଣେ ଉଦ୍ୟମ କରୁଛି ଦଳ । ଘୋଡ଼ା ବେପାର ଭୟ ଭିତରେ ବିଧାୟକଙ୍କୁ ରାଂଚିରୁ ନେଇ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି ।