ବହୁ ଚର୍ଚ୍ଚିତ ତବରେଜ ଅନସାରୀ ହତ୍ୟା ମାମଲା : ୪ ବର୍ଷ ପରେ ୧୦ ଅପରାଧୀଙ୍କୁ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡ

96

କନକ ବ୍ୟୁରୋ : ଝାଡଖଣ୍ଡର ବହୁ ଚର୍ଚ୍ଚିତ ତବରେଜ ଅନସାରୀ ମାବଲଂଚିଙ୍ଗ ମାମଲାରେ ବୁଧବାର ଅପରାହ୍ନ ୪ଟା ବେଳେ ସରାୟକେଲା କୋର୍ଟ ରାୟ ଶୁଣାଇଛନ୍ତି । ସରାୟକେଲା କୋର୍ଟ ଏହି ମାମଲାରେ ସମସ୍ତ ଦୋଷୀଙ୍କୁ ଆଇପିସିର ଧାରା ୩୦୪ (କୌଣସି ଉର୍ଦ୍ଦେଶ୍ୟ ନଥାଇ ହତ୍ୟା) ମୁତାବକ ସମସ୍ତ ୧୦ ଅପରାଧୀଙ୍କୁ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

୨୦୧୯ ଜୁନ ୧୮ ତାରିଖରେ ଘାତକିଡିହ ଠାରେ ଚୋରି କରିଥିବା ସନ୍ଦେହରେ ତବରେଜଙ୍କ ଉପରେ କିଛି ଲୋକ ଆକ୍ରମଣ କରିଥିଲେ । ଏହାପରେ ଅଭିଯୁକ୍ତମାନେ ତବରେଜକୁ ପୋଲିସ ହାତରେ ଦେଇଥିଲେ । ପୋଲିସ ତବରେଜକୁ ମେଡିକାଲ ଯାଂଚ ପରେ କଷ୍ଟଡିକୁ ନେଇଥିଲା । ହେଲେ ଜୁନ ୨୧ ତାରିଖରେ ତବରେଜର ଦେହ ଖରାପ ହେବାକୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଜୁନ ୨୨ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତବରେଜର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ପୋଲିସ ୧୩ ଜଣଙ୍କୁ ଗିରଫ କରିଥିଲା । ହେଲେ ମୁଖ୍ୟ ଅଭିଯୁକ୍ତ ପପୁ ମଣ୍ଡଳଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତ କୋର୍ଟର ଜାମିନ ପାଇଥିଲେ ।

ଏହି ମାମଲାର ଶୁଣାଣି କରି ସରାୟକେଲା କୋର୍ଟ ଜୁନ ୨୭ ତାରିଖରେ ୧୦ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଏହି ମାମଲାର ଦଣ୍ଡବିଧାନ କରି ୧୦ ଜଣ ଅପରାଧୀଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ଅନ୍ୟ ୨ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।