କନକ ବ୍ୟୁରୋ : କରୋନା ସଂକ୍ରମଣ କାରଣରୁ ଏବେ ବି ସାରା ଦେଶର ଶିକ୍ଷାନୁଷ୍ଠାନରେ ତାଲା ପଡିଛି । ହେଲେ ଝାଡଖଣ୍ଡ ରାଞ୍ଚି ଜିଲ୍ଲାରେ ଏକ ସ୍କୁଲ କରୋନା କାଳରେ କେବେ ବି ବନ୍ଦ ନ ହୋଇ ଶିକ୍ଷାଦାନ ଅବ୍ୟାହତ ରହିଛି । ଗାଁରେ ଥିବା ସରକାରୀ ସ୍କୁଲକୁ ପିଲା ଦୈନିକ ଆସୁଛନ୍ତି ଓ ପାଠ ପଢି ପୁଣି ଫେରୁଛନ୍ତି । ସାମାଜିକ ଦୂରତା ଓ କୋଭିଡ କଟକଣା ଭିତରେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ବି ଚାଲିଛି ବିଦ୍ୟାଳୟ ।
ଆଦର୍ଶ କହିଲେ କେହି ଆଦର୍ଶବାନ ହୋଇଯାଏ ନାହିଁ, ଆଦର୍ଶବାନ ହେବାକୁ ହେଲେ କିଛି ଅଲଗା କରିବାକୁ ପଡିଥାଏ । ରାଞ୍ଚି ଜିଲ୍ଲାର ଏକ ମଡେଲ ଗ୍ରାମ ଆରାକେରାମ ପୁଣିଥରେ କିଛି ଅଲଗା କରି ସମସ୍ତଙ୍କୁ ଚକିତ କରିଛି । ଏଥର ଆରାକେରାମ ସ୍କୁଲ ବାବଦରେ ଆଲୋଚନା କରାଯାଇଛି । ଯେତେବେଳେ କରୋନା ସଂକ୍ରମଣ ଭୟରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦେଶର ସମସ୍ତ ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଗଲା ସେତେବେଳେ ଆରାକେରାମ ଗ୍ରାମର ଗ୍ରାମସଭା ଓ ମହିଳା ସମିତି କିଛି ନୂଆ ପଦକ୍ଷେପ ନେବାକୁ ଚେଷ୍ଟା କରିଥିଲେ । ସେମାନେ ନିଷ୍ପତ୍ତି ନେଇଥିଲେ କି କୌଣସି ପରିସ୍ଥିତିରେ ଯେମିତି ପିଲାଙ୍କ ଶିକ୍ଷାଦାନ ବନ୍ଦ କରାନଯାଉ । ଏନେଇ ସେମାନେ ସରକାରୀ ସ୍କୁଲକୁ ଦୁଇଟି ସିଫ୍ଟରେ ଖୋଲିବାକୁ ଯୋଜନା କରିଥିଲେ । ସାମାଜିକ ଦୂରତା, ମାସ୍କ, ସାନିଟାଇଜର ଭଳି କୋଭିଡ କଟକଣାକୁ ପାଳନ କରି ଏବେ ବି ଗାଁର ୨୦୦ ଛାତ୍ର ଛାତ୍ରୀ ଦୈନିକ ୨ ଟି ସିଫ୍ଟରେ ସ୍କୁଲ ଆସି ଶିକ୍ଷା ଗ୍ରହଣ କରୁଛନ୍ତି । ଦୈନିକ ସ୍କୁଲକୁ ୨ ଟି ସିଫ୍ଟରେ ୧୧ ଜଣ ଶିକ୍ଷକ ଆସୁଛନ୍ତି ଓ ପ୍ରତି ସିଫ୍ଟକୁ ୨ ଘଂଟା ସମୟ ଦେଇ ପିଲାଙ୍କୁ ପାଠ ପଢାଉଛନ୍ତି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଶିକ୍ଷକମାନେ ସରକାରଙ୍କ ଠାରୁ ମାସିକ ଦରମା ପାଉଥିଲେ ବି କରୋନା କାଳରେ ସ୍କୁଲ ଆସୁଥିବାରୁ ଗ୍ରାମବାସୀମାନେ ସେମାନଙ୍କ ସକ୍ଷମ ମୁତାବକ ଶିକ୍ଷକମାନଙ୍କୁ ମାସିକ କିଛି ଦରମା ଦେଉଛନ୍ତି ।