ବିର୍ଶା ମୁଣ୍ଡା ଜେଲରେ ରାତି କାଟିଲେ ହେମନ୍ତ ସୋରେନ୍ । ଗିରଫଦାରୀ ବିରୋଧରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ସେପଟେ ଆଜି ଝାଡ଼ଖଣ୍ଡ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପାଇ ସୋରେନ୍ ।

173

କନକ ବ୍ୟୁରୋ: ବିର୍ଶାମୁଣ୍ଡା ଜେଲରେ ଗୋଟିଏ ରାତି କାଟିଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ସେପଟେ ଆଜି ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ । ଗିରଫଦାରୀ ବିରୋଧରେ ହେମନ୍ତ ସୋରେନ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମ. ଏମ. ସୁନ୍ଦରେଶ ଓ ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଇଡିର ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ହେମନ୍ତ ସୋରେନ । ସୋରେନ୍ ତାଙ୍କ ଆବେଦନରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗୁରୁବାର ଝାଡଖଣ୍ଡ ହାଇକୋର୍ଟ ଦିନିକିଆ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ସୋରେନଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଛି । ତେବେ ରାୟ ସଂରକ୍ଷିତ ରଖି ଗୋଟିଏ ଦିନ ପାଇଁ ଜେଏମ୍ଏମ୍ ନେତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ କୋର୍ଟ ।

ଅନ୍ୟପଟେ ଝାଡ଼ଖଣ୍ଡରେ ଶେଷ ହୋଇଛି ରାଜନୈତିକ ସସପେନ୍ସ । ଚମ୍ପାଇ ସୋରେନ୍ ହେବେ ଝାଡ଼ଖଣ୍ଡର ପରବର୍ତୀ ମୁଖ୍ୟମନ୍ତ୍ରୀ । ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବିଧାୟକ ଦଳର ନେତା ହେବା ପରେ ଗୁରୁବାର ରାତିରେ ରାଜ୍ୟପାଳ ସିପି ରାଧାକୃଷ୍ଣଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଉ କେତେ ଜଣ ଶପଥ ନେବେ, ସେ ନେଇ କୌଣସି ସୂଚନା ମିଳିନାହିଁ ।