କନକ ବ୍ୟୁରୋ : ବିର୍ସା ମୁଣ୍ଡା ଜେଲ୍ ଗଲେ ହେମନ୍ତ ସୋରେନ୍ । ଜମି ଦୁର୍ନୀତି ମାମଲାରେ ଫସିବା ପରେ ଇଡି ବୁଧବାର ତାଙ୍କୁ ଗିରଫ କରିଥିଲା । ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେବା ପରେ ଗିରଫ ହୋଇଛନ୍ତି । ଏବେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି । ଅନ୍ୟପଟେ ବିରୋଧୀ ବିଜେପି ମଧ୍ୟ ସରକାର ଗଠନ ପାଇଁ ବଳକଷୁଥିବା ଚର୍ଚ୍ଚା ହେଉଛି ।
ସେପଟେ ରାଂଚି ଜମି ଦୁର୍ନୀତି ମାମଲାରେ ଜେଏମଏମ ମୁଖ୍ୟ ହେମନ୍ତ ସୋରେନ ଗିରଫ ହେବା ପରେ ରାଜନୈତିକ ସରଗରମ ବଢିଯାଇଛି । ହେମନ୍ତ ସୋରେନ ବୁଧବାର ରାତିରେ ଇସ୍ତଫା ଦେଇଥିଲେ । ଇଡି ୧୦ ଦିନ ପାଇଁ ରିମାଣ୍ଡ ମାଗିଥିବାବେଳେ ତାଙ୍କୁ ଗୋଟିଏ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଏହାର ଶୁଣାଣି ଶୁକ୍ରବାର ଦିନ ହେବ । ଝାଡଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନଙ୍କ ଆବେଦନର ତୁରନ୍ତ ଶୁଣାଣି କରିବାକୁ ମନାକରିଦେବା ପରେ ଆଜି ରାତିରେ ବିସ୍ରା ମୁଣ୍ଡା ଜେଲରେ ରହିବେ ହେମନ୍ତ ସୋରେନ । ସେପଟେ ଜେଏମଏମ ମୁଖ୍ୟ କହିଛନ୍ତି, ଲଢିବୁ, ସଂଘର୍ଷ କରିବୁ ଓ ଜିତିବୁ ।
ଝାଡଖଣ୍ଡର ଶାସକ ଦଳ ଜେଏମଏମ ଏବଂ କଂଗ୍ରେସ ସରକାର ବଂଚାଇବାକୁ ପ୍ରସ୍ତୁତି ଚଲାଇ ଥିବାବେଳେ ସ୍ଥିତି ସ୍ପଷ୍ଟ ହୋଇନଥିବାରୁ ଟେନସନ ବଢିଯାଇଛି । ଝାଡଖଣ୍ଡ ଗଣିତ ଉପରେ ନଜର ପକାଇଲେ ସରକାର ସପକ୍ଷରେ
ଜେଏମଏମ-୨୯,କଂଗ୍ରେସ-୧୭, ସିପିଏମ(ଏଲ)-୦୧, ଆରଜେଡି-୦୧=୪୮
ବିରୋଧୀ
ବିଜେପି-୨୬, ଏଜେଏସୟୁ-୩, ଏନସିପି-୦୧, ଅନ୍ୟ-୦୨=୩୨ ବିଧାୟକ ଅଛନ୍ତି ।
ଜେଏମଏମ ବିଧାୟକ ଦଳ ନେତା ଚମ୍ପଇ ସୋରେନ ୪୩ ଜଣ ବିଧାୟକ ସମର୍ଥନ ଥିବା ପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି । କିନ୍ତୁ ସରକାର ଗଠନକୁ ଅପେକ୍ଷା କରାଯାଇଛି । ବିଜେପି ଖେଳ ବିଗାଡିପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଜେଏମଏମ ଓ କଂଗ୍ରେସ ବିଧାୟକଙ୍କୁ ଝାଡଖଣ୍ଡ ବାହାରକୁ ନେବାକୁ ପ୍ରସ୍ତୁତି ଚାଲିଛି । ଗୁରବାର ସନ୍ଧ୍ୟାରେ ୫ଜଣ ପ୍ରତିନିଧିଙ୍କୁ ନେଇ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି ଚମ୍ପଇ ସୋରେନ ।
ଶୁକ୍ରବାର ପୁଣିଥରେ ହେମନ୍ତ ସୋରେନଙ୍କୁ କୋର୍ଟରେ ହାଜର କରାଯିବ । ଅନ୍ୟପଟେ ସୁପ୍ରିମକୋର୍ଟରେ ମଧ୍ୟ ଶୁକ୍ରବାର ଶୁଣାଣି ରହିଛି । ରାଂଚି ଜମି ଦୁର୍ନୀତି ମାମଲାରେ ଇଡି ଏକ ଦସ୍ତାବିଜ ଦାଖଲ କରିଛି । ଯେଉଁଥିରେ ସରକାରୀ ଜମିକୁ ହେମନ୍ତ ସୋରେନ ବଳ ପୂର୍ବକ କବଜା କରି ରଖିଛନ୍ତି ବୋଲି ଅଭିଯୋଗ ରହିଛି । ଜମି ଘୋଟାଲା ବ୍ୟତୀତ ବେଆଇନ ଖଣି ଖନନ ମାମଲାରେ ମଧ୍ୟ ହେମନ୍ତ ସୋରେନ୍ ଇଡି ସ୍କାନରରେ ରହିଛନ୍ତି ।