ଝାଡଖଣ୍ଡରୁ ଓଡିଆ ଭାଷାର ମାନ୍ୟତା ହଟିବା ପ୍ରସଙ୍ଗ: ଗଣଶିକ୍ଷାମନ୍ତ୍ରୀ କହିଲେ ଝାଡଖଣ୍ଡ ସରକାରଙ୍କୁ ଲେଖିବେ ଚିଠି

86

କନକ ବ୍ୟୁରୋ: ଓଡିଆ ପିଲାଙ୍କ ଭବିଷ୍ୟତ କଣ ହେବ । ଝାଡଖଣ୍ଡରେ ଓଡିଆକୁ ଦ୍ୱିତୀୟ ଭାଷାର ମାନ୍ୟତାରୁ ବାଦ ଦିଆଯିବା ପରେ ଏଭଳି ପ୍ରଶ୍ନ ସାମ୍ନାକୁ ଆସିଛି । ନିଷ୍ପତିକୁ ନେଇ ବିରୋଧ ବଢିବା ପରେ ରାଜ୍ୟ ସରକାର ବି ତତ୍ପରତା ପ୍ରକାଶ କରିଛନ୍ତି ।

ଝାଡଖଣ୍ଡରେ ଓଡିଆ ସମେତ ୧୦ଟି ଭାଷାକୁ ଦ୍ୱିତୀୟ ଭାଷାର ମାନ୍ୟତା ମିଳିଥିଲା । ତେବେ ଓଡିଆକୁ ଦ୍ୱିତୀୟ ଭାଷା ମାନ୍ୟତାରୁ ହଠାତ୍ ବାଦ ଦିଆଯିବାକୁ କେହି ସହଜରେ ହଜମ କରିପାରୁନାହାନ୍ତି । ଝାଡଖଣ୍ଡ ସହ ଓଡିଶାରେ ବି ବିରୋଧ ତେଜିଛି । ଏହାପରେ ଗଣଶିକ୍ଷା ଅଧିକାରୀଙ୍କ ବୈଠକ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଆଉ ଝାଡଖଣ୍ଡ ସରକାରଙ୍କୁ ଏ ନେଇ ଚିଠି ବି ଲେଖାଯିବ କହିଛନ୍ତି ସମୀର ଦାସ ।

ଝାଡଖଣ୍ଡରେ ଓଡିଆ ପିଲା କିଭଳି ପାଠ ପଢିବେ, ତାହା ଏବେ ଏକ ବଡ ପ୍ରଶ୍ନ ହୋଇ ଠିଆହୋଇଛି । ତେବେ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପଦ କ୍ଷେପ ନେବାକୁ ଭାଷାବିତ ମତ ଦେଇଛନ୍ତି । ଏହା ନହେଲେ ଓଡିଆ ଭାଷା ବିପଦରେ ପଡିବ ବୋଲି ସେମାନେ ଚେତାଇ ଦେଇଛନ୍ତି ।

୨୦୧୧ରେ ଓଡିଆକୁ ଦ୍ୱିତୀୟ ଭାଷାର ମାନ୍ୟତା ଦେବା ପାଇଁ ହୋଇଥିବା ଆନ୍ଦୋଳନ ପରେ ଓଡିଆ ଭାଷା ସପକ୍ଷରେ ଖୋଦ୍ ବର୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସମର୍ଥନ କରିଥିଲେ । ଏବେ କାହିଁ କି ଏଭଳି ନିଷ୍ପତି ନିଆଗଲା ସେ ନେଇ ବି ପ୍ରଶ୍ନ ଉଠିଛ । କୁହାଯାଉଛି, ଝାଡଖଣ୍ଡ ସରକାର ଓଡିଶା ସରକାରଙ୍କୁ ଓଡିଆ ବହି ଓ ଶିକ୍ଷକ ଯୋଗାଇବାକୁ ପୂର୍ବରୁ କହିଥିଲେ । ଏ ବାବଦରେ କୌଣସି ପଦକ୍ଷେପ ନିଆଯାଇନଥିଲା । ଏଣୁ ବାଧ୍ୟହୋଇ ଏଭଳି ନିଷ୍ପତିହୋଇଥିବା ଚର୍ଚ୍ଚା ହେଉଛି ।