କନକ ବ୍ୟୁରୋ : ଝାଡଖଣ୍ଡରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ସାହିବଗଞ୍ଜରୁ ଦୁମକା ଯାଉଥିବା ଏକ ବସ ଲିଟ୍ଟିପଡା-ଅମଡାପାଡା ରାସ୍ତାର ପଡେରକୋଲା ଠାରେ ଏକ ଗ୍ୟାସ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ଏଭଳି ଘଟଣା ଘଟିଛି । ବସରେ ୪୦ ଜଣରୁ ଅଧିକ ଯାତ୍ରୀଥିବା କଥା କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୦ ଜଣ ଗୁରୁତର ହୋଇଥିବା ବେଳେ ୧୫ ଜଣଙ୍କର ଜୀବନ ଯାଇଛି । ପାକୁଡ ଏସପି ଏଚପି ଜନାର୍ଦ୍ଦନ କହିଛନ୍ତି କି ୧୫ ଟି ଶବ ଜବତ ହୋଇଛି ଓ ବସ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ।
ଦୁର୍ଘଟଣା ଏତେ ଭୟାବହ ଥିଲା କି ଦୁଇଟି ଗାଡିର ଆଗ ସୋ ଉଡି ଯାଇଥିଲା । କିଛି ଲୋକ ବସରୁ ଛିଟିକି ପଡି ବାହାରେ ପଡିଥିଲେ । ବସ ଭିତରେ ରହିଥିବା ଲୋକ ଫସି ଯାଇଥିଲେ । ବସର ବଡି କାଟି ସେମାନଙ୍କୁ ବାହାରକୁ ବାହାର କରାଯାଉଛି । କୁହାଯାଉଛି କି ବସର ଚାଳକ ଜୀବିତ ଅଛନ୍ତି । ଅନ୍ୟପଟେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
ଦୁର୍ଘଟଣାର ଯାଂଚ କରୁଥିବା ପୋଲିସ ଅଧିକାରୀ କହିଛନ୍ତି କି କୁହୁଡି କାରଣରୁ ଏଭଳି ଦୁର୍ଘଟଣା ହୋଇଛି । ଟ୍ରକ ଚାଳକ ସାମ୍ନାପଟୁ ଆସୁଥିବା ବସକୁ ଦେଖିପାରି ନପାରି ସିଧା ବସ ଉପରେ ମାଡି ଯାଇଥିଲା । ଯେଉଁ ସମୟରେ ଦୁର୍ଘଟଣା ହୋଇଥିଲା ସେହି ସମୟରେ ବସରେ ସମସ୍ତ ଯାତ୍ରୀ ପ୍ରାୟ ଶୋଇପଡିଥିଲେ । ଫଳରେ ସେମାନେ ତୁରନ୍ତ ବାହାରକୁ ବାହାରିବାର ସୁଯୋଗ ପାଇ ନଥିଲେ ।
ଦୁର୍ଘଟଣା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହାକୁ ନେଇ ଦୁଖ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ପ୍ରତି ସୋସିଆଲ ମିଡିଆ ମାଧ୍ୟରେ ସମବେଦନା ଜଣାଇଛନ୍ତି । ଏହାସହ ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି ।