ଦୁନିଆ ଦେଖିଲା ଦେବେନ୍ଦ୍ର-ରାଜନଙ୍କ ଦୋସ୍ତି । ଜୀବନ-ମରଣ ସହ ଲଢୁଥିଲା ପିଲା ଦିନର ସାଙ୍ଗ, ଦିନକରେ ୧୩୦୦ କିଲୋମିଟର କାର୍ ଚଲାଇ ଅକ୍ସିଜେନ୍ ପହଁଚାଇଦେଲା ସାଙ୍ଗ ।

294

କନକ ବ୍ୟୁରୋ: ହ୍ୟାଲୋ… ଦେବେନ୍ଦ୍ର ମୁଁ ରାଜନର ସାଙ୍ଗ ସଞ୍ଜୟ କହୁଥିଲି…ରାଜନକୁ କରୋନା ହୋଇଯାଇଛି ଆଉ ଅକ୍ସିଜେନ୍ ଅଭାବରୁ ସେ ଏବେ ଜୀବନ ମରଣ ସହ ଲଢ଼େଇ କରୁଛି… ହାତରେ ମାତ୍ର ଆଉ ଗୋଟିଏ ଦିନ ଅଛି ଯଦି ଅକ୍ସିଜେନ୍ ନମିଳେ ଆମେ ରାଜନକୁ ସବୁଦିନ ପାଇଁ ହରେଇଦେବା… ଦେବେନ୍ଦ୍ର ତୁମେ କିଛି କର ପ୍ଲିଜ୍…

ବାସ୍ କରୋନା କାଳରେ ଏହି ଗୋଟିଏ ଫୋନ୍ କଲ ସଂକ୍ରମିତ ଥିବା ସାଙ୍ଗର ସଞ୍ଜୀବନି ପାଇଁ ବାଟ ଫିଟାଇଦେଲା । ସଂକ୍ରମଣ ଭରା ସନ୍ଦେହ ଭିତରେ ପ୍ରକୃତ ସାଙ୍ଗର ସଜ୍ଞା କ’ଣ ବୁଝାଇ ଦେଇଛନ୍ତି ଜଣେ ଏମିତି ସାଙ୍ଗ ଯାହା ମହାମାରୀ ଭିତରେ ବନିଯାଇଛି ବଡ଼ ମିଶାଲ୍ । କରୋନା ପୀଡ଼ିତ ସାଙ୍ଗ ପାଇଁ ଅକ୍ସିଜେନ ଦରକାର ବୋଲି ଜାଣିବା ପରେ ୨୪ ଘଣ୍ଟାରେ ୧୩୦୦ କିଲୋମିଟର ଗାଡ଼ି ଚଲାଇ ସାଙ୍ଗ ପାଖରେ ପହଁଚାଇ ଦେଇଛନ୍ତି ସଞ୍ଜିବନୀ । ଆଉ ଏହି ଘଟଣା ଏବେ ଭୂତାଣୁ ଭିତରେ ଥିବା ଭେଦଭାବକୁ ଭାଙ୍ଗି ପୁଣି ବିଶ୍ୱାସର ବନ୍ଧ ବାନ୍ଧି ଦେଇଛି ।

ଫିଲ୍ମ ପରି ଲାଗୁଥିବା ଏ କାହାଣୀର ନାୟକ ହେଉଛନ୍ତି ରାଞ୍ଚିର ଦେବେନ୍ଦ୍ର କୁମାର ଶର୍ମା । ଯିଏ କି, ନିଜ ପିଲାଦିନର ସାଙ୍ଗର ରାଜନ ପାଇଁ ଝାଡ଼ଖଣ୍ଡ ବୋକାରୋରୁ ଗାଜିଆବଦ୍ ବୈଶାଳୀକୁ ପାଖାପାଖି ୧୩୦୦ କିଲୋମିଟର କାର୍ ଚଳାଇ ପହଁଚିଗଲେ । ପାହାଡ଼କୁ ଚିରିଲା ଭଳି ଅସମ୍ଭବ କାର୍ଯ୍ୟକୁ ମାତ୍ର ୨୪ ଘଣ୍ଟା ଭିତରେ ସମ୍ଭବ କରି ସାଥିରେ ସାଙ୍ଗ ପାଇଁ ଧରି ଆସିଲେ ଅକ୍ସିଜେନ୍ ସିଲିଣ୍ଡର । ଯେଉଁଥି ପାଇଁ ଏବେ ରାଜନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି ଧିରେ ଧିରେ କରୋନା କବଳରୁ ସୁସ୍ଥ ହେଉଛନ୍ତି ରାଜନ ।

ଦେବେନ୍ଦ୍ରଙ୍କ କହିବା ମୁତାବକ, ରାଜନ ଆଉ ସେ ବୋକାରୋରେ ଏକାଠି ବଢ଼ିଛନ୍ତି । ପିଲାଦିନର ସାଙ୍ଗ ରାଜନର ଏଭଳି ସଙ୍ଗୀନ ସ୍ଥିତି ଜାଣି ସାଙ୍ଗେ ସାଙ୍ଗେ ସିଲିଣ୍ଡର ଖୋଜିବାରେ ଲାଗିପଡ଼ିଲି । ବୋକାରୋରୁ ୧୫୦ କିଲୋମିଟର ଦୂର ମୋ ପରିବାର ସମସ୍ତେ ସିଲିଣ୍ଡର ପାଇଁ ଲାଗିପଡ଼ିଲେ । ଭଗବାନଙ୍କ ଦୟାରୁ ସିଲିଣ୍ଡର ମିଳିଗଲା ଆଉ ତାକୁ ଧରି ରାତାରାତି ନିଜ କାର୍ ଧରି ଚାଲିଆସିଲି । ସାଙ୍ଗ’ ପାଇଁ ୧୩୦୦ କିଲୋମିଟର କ’ଣ ସମୂଦ୍ର ପାରି ହୋଇ ଆସିବାକୁ ପଡ଼ିଥିଲେ ଆସିଥାନ୍ତି ।

ତେବେ ମହାମାରୀର ମାୟାଜାଲରେ ମଣିଷ ଛନ୍ଦି ହୋଇ ଛଟପଟ ହେଉଥିବାବେଳେ ବିଭିନ୍ନ ସ୍ଥାନରୁ ପ୍ରତିଦିନ ଆସୁଛି ଅକ୍ସିଜେନ୍ ଅଭାବ ପଛର କିଛି କରୁଣ ଆଉ ଉଦାହରଣ ଭରା କାହାଣୀ । ଆଉ ଦେବେନ୍ଦ୍ରଙ୍କ ଦୟାପଣ ଏଯୁଗର କୃଷ୍ଣ ସୁଦାମା ଭଳି । ସତରେ ସୁଖରେ ତ ସଭିଏଁ ସାମିଲ ହେବେ କିନ୍ତୁ ଦୁଃଖ ଯନ୍ତ୍ରଣାରେ ଯିଏ ଜୀବନର ଶେଷ ନିଶ୍ୱାଃସ ଯାଏଁ ସାଥ୍ ଛାଡ଼ିବନି ସେ ହିଁ ପ୍ରକୃତରେ ବନ୍ଧୁ । ବିପଦବେଳେ ଦେବେନ୍ଦ୍ରଙ୍କ ବନ୍ଧୁତା ଏହାର ଏକ ଅନନ୍ୟ ଉହାରଣ ।