ଖାଦାନ ଭିତରେ ପଶି ଲୁଚି ରହିଛନ୍ତି ୨୫ ଚୋର, ୩୬ ଘଂଟା ଧରି ବାହାରେ ଜଗିଛି ପୋଲିସ

202

କନକ ବ୍ୟୁରୋ : କେବୁଲ ଚୋରୀ ପାଇଁ ଝାଡଖଣ୍ଡର ଏକ କୋଇଲା ଖାଦାନ ଭିତରେ ପାଖା ପାଖି ୨୫ ଜଣ ଚୋର ପଶି ରହିଛନ୍ତି । ସୂଚନା ମିଳିବା ପରେ ପୋଲିସ ଖାଦାନ ବାହାରେ ସେମାନଙ୍କୁ ଜଗି ରହିଛି । ହେଲେ ଧରାପଡିଯିବା ଭୟରେ ଚୋରମାନେ ୩୬ ଘଂଟା ଧରି ଖାଦାନ ଭିତରେ ଲୁଚିଥିବା ବେଳେ ପୋଲିସ ସେମାନଙ୍କୁ ଧରବାକୁ ସଦଳବଳେ ଖାଦାନ ଉପରେ ଜଗି ରହିଛି । ଏହା ଏକ ସିନେମାର କାହାଣୀ ଭଳି ଲାଗୁଛି ।

ପୋଲିସ ସୂଚନା ମୁତାବକ ରବିବାର ରାତିରେ ଅସ୍ତ୍ରଶସ୍ତ୍ର ସହ ଚୋର ଗୋଷ୍ଠୀ ଧନବାଦ ଜିଲ୍ଲାର ଭାଗ୍ୟଲକ୍ଷ୍ମୀ କୋଇଲା ଖାଦାନ ଭିତରେ ପଶିଥିଲେ । ଏନେଇ ସୂଚନା ପାଇବା ପରେ ପୋଲିସ ଓ ସାମରିକ ବାହୀନି ଘଟଣା ସ୍ଥଳରେ ପହଂଚି ଯାଇଥିଲେ । ପୋଲିସଙ୍କୁ ଦେଖି ଚୋରମାନେ ପୋଲିସ ଉପରେ ବୋମାମାଡ କରିବା ସହ ଗୁଳି ବି ଚଳାଇଥିଲେ । ଏହି ଆକ୍ରମଣରେ ଜଣେ ପୋଲିସ କନେଷ୍ଟବଳ ବି ଆହତ ହୋଇଛନ୍ତି ।

ସୂଚନା ମୁତାବକ ମଙ୍ଗଳବାର ୩ ଟା ପର୍ଯ୍ୟନ୍ତ ସେହି ସ୍ଥିତି ଲାଗି ରହିଛି । ଭିତରେ ଚୋରମାନେ ପୋଲିସ ଭୟରେ ବାହାରକୁ ବାହୁନଥିବା ବେଳେ ବାହାରେ ଚୋରଙ୍କୁ ଧରିବାକୁ ପୋଲିସ ଜଗି ରହିଛି । ଖାଦାନ ଭିତରେ ପୁରା ଅନ୍ଧାର ସହ ପୋକ ଜୋକ ଓ ଖାଦ୍ୟ ଅଭାବ ଭିତରେ ବି ଜୀବନ ଭୟରେ ଚୋରମାନେ ଭିତରେ ରହିଛନ୍ତି । ଏବେ ସେମାନଙ୍କୁ ବାହାରକୁ କାଢିବା ପୋଲିସ ପାଇଁ କଷ୍ଟକର ହୋଇପଡିଛି ।

ମାନବିକତା ଦୃଷ୍ଟିରୁ ପୋଲିସ ଖାଦାନ ଭିତରକୁ ଖାଦ୍ୟ ଓ ପାଣି ପଠାଇବାକୁ ଚେଷ୍ଟା କରିଛି । ହେଲେ ଚୋରମାନେ ଖାଦାନର କେଉଁ କୋଣରେ ଲୁଚିଛନ୍ତି । ପୋଲିସ ଓ ଚୋରଙ୍କ ମଧ୍ୟରେ ଏଭଳି ଲୁଚକାଳି ଖେଳ କେବେ ସରିବ ତାହାର କିଛି ନିର୍ଦ୍ଧିଷ୍ଟ ସୂଚନା ମଳିପାରି ନାହିଁ ।