କାର ଉପରେ ମାଡିଗଲା ବସ୍, ଦେଖୁ ଦେଖୁ ଜଳିଗଲା ୫ ଜୀବନ

201

କନକ ବ୍ୟୁରୋ : ଦୁର୍ଘଟଣା କେତେବେଳେ ଘଟିବ ତାହା କେହି କହିପାରିବେ ନାହିଁ । ହେଲେ ବେଳେ ବେଳେ ଏମିତି କିଛି ଆଶ୍ଚର୍ଯ୍ୟଜନକ ଭାବେ ଦୁର୍ଘଟଣା ଘଟେ ତାହା ଆମମାନଙ୍କ ବିଶ୍ୱାସର ବାହାରେ ହୋଇଥାଏ । ସେହିଭଳି ଆଜି ଏକ ବିଷ୍ମୟକର ଦୁର୍ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡର ରାମଗଡ ଠାରେ ।

ସୂଚନା ମୁତାବକ ଆଜି (ବୁଧବାର) ଦିନ ଝାଡଖଣ୍ଡ ଠାରେ ଏକ ସଡକ ଦୁର୍ଘଟଣା ଘଟି ୫ ଜଣ ଲୋକ ଜୀବନ୍ତ ଜଳି ଯାଇଛନ୍ତି ଓ ୨ ଜଣ ଗୁରୁତର ଭାବେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି    । ରାମଗଡ ଏସପି ପ୍ରଭାତ କୁମାର କହିଛନ୍ତି କି ରାମଗଡ ଜିଲ୍ଲା ରଜରପ୍ପା ଥାନା ଅଞ୍ଚଳର ଗୋଲା-ରାମଗଡ ରାସ୍ତାରେ ସକାଳ ୮ ଟା ବେଳେ ଏକ କାର ସାମ୍ନାପଟୁ ଆସୁଥିବା ଏକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଭଳି ଧକ୍କା ଫଳରେ କାର ଉପରେ ବସଟି ଚଢି ଯାଇଥିଲା । ଫଳରେ କାର ଭିତରେ ଥିବା ୫ ଜଣ ଯାକ କାର ଭିତରେ ଫସି ଯାଇଥିଲେ ।

କାରଟି ବସ୍ ତଳେ ଚାପି ହୋଇ ରହିଥିବା ବେଳେ ଅଚାନକ କାରରେ ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ଆଗରୁ କାର ଭିତରେ ଥିବା ୫ ଜଣ ଯାକ ପୋଡି ଯାଇ ମୃତ୍ୟୁବରଣ କରିଛନ୍ତି । ୫ ଜଣ ଯାକ ଏମିତି ଜଳି ଯାଇଛନ୍ତି କି ସେମାନଙ୍କ ଶବର ପରିଚୟ ଜାଣିବା କଷ୍ଟକର ହୋଇପଡିଛି । ସବୁ ଶବଗୁଡିକୁ ପୋଷ୍ଟମର୍ଟମ ପାଇଁ ମେଡିକାଲ ପଠାଇ ଦିଆଯାଇଛି । ଏହାସହ ସେମାନଙ୍କ ସଂପର୍କୀୟଙ୍କ ସହ ଯୋଗା ଯୋଗ କରିବାକୁ ସ୍ଥାନୀୟ ପୋଲିସ ଚେଷ୍ଟା ଚଳାଇଛି । ରାମଗଡ ଏସପି କହିଛନ୍ତି କି କାରଟି ପାଟନାର ଆଲୋକ ରୋଶନଙ୍କ ନାମରେ ପଞ୍ଜିକୃତ ହୋଇଛି । ତେଣୁ ତଦନ୍ତ ଆଗକୁ ନେବାକୁ ପାଟନା ପୋଲିସ ସହ ଯୋଗା ଯୋଗ କରାଯାଉଛି ।