ବୁଲିବାକୁ ଆସିଥିଲେ, ଦୁଃଖ ନେଇ ଫେରିଲେ । ଝାଡ଼ଖଣ୍ଡ ରାଂଚିରୁ ପୁରୀ ଆସି ସମୁଦ୍ରରେ ଭାସିଗଲେ ୧୬ ବର୍ଷର ନାବାଳକ । ଗୋଟିଏ ଦିନ ପରେ ଉଦ୍ଧାର ହେଲା ମୃତଦେହ । ନୂଆ ତିଆରି ହୋଇଥିବା ବ୍ଲୁ-ଫ୍ଲାଗ ବିଚରେ ପର୍ଯ୍ୟଟଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

2,169

କନକ ବ୍ୟୁରୋ : ଗୋଟିଏ ଦିନ ପରେ ଉଦ୍ଧାର ହେଲା ଝାଡଖଣ୍ଡରୁ ପୁରୀ ବୁଲି ଆସିଥିବା ୧୬ବର୍ଷୀୟ ନାବାଳକଙ୍କ ମୃତଦେହ । ଅଗ୍ନିଶମ ବିଭାଗର ଅକ୍ଳାନ୍ତ ଚେଷ୍ଟା ପରେ ମୃତଦେହକୁ ଉଦ୍ଧାର କରାଯାଇଛି । ପୁରୀରେ ନୂଆ କରି ତିଆରି ହୋଇଥିବା ବ୍ଲୁଫ୍ଲାଗ୍- ବିଚ୍ ଅଂଚଳରେ ଗାଧୋଉଥିବାବେଳେ ଗତକାଲି ଅଚାନକ ସମୁଦ୍ର ଭିତରକୁ ଭାସି ଯାଇଥିଲେ ଏହି ନାବାଳକ  ।  ଆଉ ଏହି ଘଟଣା ପରେ ବ୍ଲୁଫ୍ଲାଗ ବିଚର ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ । ପୁରୀ ଜଗନ୍ନାଥ ସେନା ପକ୍ଷରୁ ଏହି ଅଘଟଣ ନେଇ ଥାନାରେ ମାମଲା ରୁଜୁ ହୋଇଛି ।

ଖୁସିରେ ପରିବାର ସହ ପୁରୀ ଧାଇଁ ଆସିଥିଲେ, ଆଶା କରିଥିଲେ ବୁଲାବୁଲି କରିବେ ଆଉ ଖୁସିରେ ଘରକୁ ଫେରିଯିବେ । ହେଲେ, ଏମିତି ଏକ ଅଘଟଣ ସବୁ ଦିନ ଭଳି ନୂଆ କରି ତିଆରି ହୋଇଥିବା ବ୍ଲୁ ଫାଗ୍ ବିଚ୍ ଅଂଚଳରେ ପର୍ଯଟକମାନେ ବେଶ ଖୁସିରେ ଗାଧଉଥିଲେ । ଆଉ ଏମାନଙ୍କ ଭିତରେ ଥିଲେ ଝାଡ଼ଖଣ୍ଡ ରାଂଚିରୁ ଆସିଥିବା ରାୟ ପରିବାରର ସଦସ୍ୟ । ଠିକ୍ ଏମିତି ବେଳେ ଅଚାନକ୍ ସମୁଦ୍ର ପାଣିରେ କୁଆଡେ ଉଭାନ୍ ହୋଇଯାଇଥିଲେ ୧୬ ବର୍ଷର ନାବାଳକ ତନିସ୍କ ବିନୟ ରାୟ ।

ବହୁ ଖୋଜାଖୋଜି କରିବା ପରେ ବି କୌଣସି ପତା ମିଳିନଥିଲା । ଶେଷରେ ଗୋଟିଏ ଦିନ ପରେ । ମଙ୍ଗଳବାର ଦିନ ୧୧ଟା ବେଳେ ଏହି ଘଟଣା ଘଟିଥିଲେ ସୁଦ୍ଧା ରାତି ଯାଏଁ କୌଣସି ପତା ମିଳିନଥିଲା । ସକାଳେ ପୁଣି ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଖୋଜ ତନିସ୍କର ସନ୍ଧାନ କରିଥିଲେ । ଆଉ ଶେଷରେ ଗଭୀର ସମୁଦ୍ର ଭିତରୁ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିଲା ।

ସମୁଦ୍ର ପାଣିର ସ୍ରୋତ, ଅତି ତୀବ୍ର ଥିବାରୁ ନାବାଳକ ଅଚାନକ୍ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ବଡ଼ କଥା ହେଉଛି, ନୂଆ କରି ତିଆରି ହୋଇଥିବା ବ୍ଳୁ-ଫ୍ଲାଗ୍ ବିଚ୍ ଅଂଚଳରେ ଘଟିଥିବା ଏହି ଅଘଟଣ, ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।