ଝାଡଖଣ୍ଡରେ ‘ମହାରାଷ୍ଟ୍ର ନାଟକ’ ! ଏକାଏକା ଲଢିବ ଏଲଜେପି । ଭୋଟ ପୂର୍ବରୁ ସମ୍ପର୍କ ଭାଙ୍ଗି ବିଜେପିକୁ ଦେଲା ଝଟକା

721

କନକ ବ୍ୟୁରୋ : ଝାଡଖଣ୍ଡକୁ ଡେଇଁଲା ମହାରାଷ୍ଟ୍ର ଝଗଡା । ମହାରାଷ୍ଟ୍ରରେ ଏନଡିଏ ସହଯୋଗୀ ଶିବସେନା ଓ ବିଜେପି ମଧ୍ୟରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାର ପ୍ରଭାବ ଏବେ ଝାଡଖଣ୍ଡରେ ଦେଖିବାକୁ ମିଳିଛି । ତେବେ ମହାରାଷ୍ଟ୍ରରେ ଶିବସେନା ଏକା ସରକାର ଗଢିବାକୁ ଚାହୁଁଁଥିବା ବେଳେ ଝାଡଖଣ୍ଡରେ ଏଲଜେପି ମଧ୍ୟ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଛି । ବିଧାନସଭାରେ ମୋଟ ୮୧ଟି ଆସନରୁ ଏଲଜେପି ୫୦ଟି ଆସନରେ ଏକାକୀ ନିର୍ବାଚନ ଲଢିବାକୁ ସୂଚନା ଦେଇଛି ।

ଆସନ୍ତା ୩୦ରେ ଝାଡଖଣ୍ଡରେ ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ସତ୍ତାରେ ଥିବା ବିଜେପିକୁ ଶକ୍ତ ଝଟକା ଲାଗିଛି । ସହଯୋଗୀ ଲୋକ ଜନଶକ୍ତି ପାର୍ଟି ( ଏଲଜେପି) ମେଣ୍ଟରୁ ଓହରି ଯାଇ ଏକାକୀ ଲଢିବାକୁ ଘୋଷଣା କରିଛି । ତେବେ ଆଜି ସଂଧ୍ୟା ଶୁଦ୍ଧା ଦଳୀୟ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରାଯିବ ବୋଲି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସୱାନ ସୂଚନା ଦେଇଛନ୍ତି ।

ଝାଡଖଣ୍ଡ ବିଧାନସଭା ନିର୍ବାଚନ ୫ଟି ସ୍ତରରେ ହେବ । ଆଉ ଭୋଟ ପୂର୍ବରୁ ବିଜେପି, ଏଲଜେପି ଓ ଆଜସୁ ମଧ୍ୟରେ ସମ୍ପର୍କ ଭାଙ୍ଗିବାର ସଙ୍କେତ ମିଳିଛି । ଝାଡଖଣ୍ଡରେ ଆଉ ପନ୍ଦର ଦିନ ପରେ ପଦ୍ମ ବଡ ପରୀକ୍ଷା ଦେବାକୁ ଯାଉଥିବା ବେଳେ ପରୀକ୍ଷା ପୂର୍ବରୁ ପଦ୍ମର ଦୁଇ ପାଖୁଡା ଝଡି ପଡିଛି, ଯାହା ବିଜେପି ପାଇଁ ବଡ କଣ୍ଟା ସାଜିବ ବୋଲି ଅନୁମାନ କରାଯାଉଛି ।