କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ ମନା କରିଦେଇଛନ୍ତି । ଇଡି ତରଫରୁ ତାଙ୍କୁ ବୁଧବାର ଦିନ ଏକ ନୋଟିସ କରି ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ହେମନ୍ତ କହିଛନ୍ତି କି ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ବୋଲି ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ।

Advertisment

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାୟପୁର ଠାରେ ଏକ ଆଦିବାସୀ ନୃତ୍ୟ ମହୋତ୍ସବରେ ଯୋଗ ଦେଇଛନ୍ତି । ସେପଟେ ଇଡିର ନୋଟିସ ପରେ ଝାଡଖଣ୍ଡ ସରକାରରେ ଥିବା ସମସ୍ତ ବିଧାୟକଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ଇଡିର ନୋଟିସକୁ ବିଜେପିର ଷଡଯନ୍ତ୍ର ବୋଲି କୁହାଯାଇଛି । ଏହାସହ ଦଳର ସମସ୍ତ ବିଧାୟକ ନିର୍ଣ୍ଣୟ ନେଇଛନ୍ତି କି ଆଗାମୀ ଦିନରେ ଝାଡଖଣ୍ଡ ରାଜ୍ୟପାଳ ଓ କେନ୍ଦ୍ରୀୟ ଯାଂଚ ଏଜେନ୍ସି ବିରୋଧରେ ଆନ୍ଦୋଳନ ଜୋରଦାର କରାଯିବ ।

ସେପଟେ ଏସବୁ ପୁରା ମାମଲା ଭିତରେ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ରାଜେଶ ଠାକୁର କହିଛନ୍ତି କି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନୃତ୍ୟ ମହୋତ୍ସବରେ ଯୋଗ ଦେବାକୁ ଆଗରୁ ସ୍ଥିର ହୋଇସାରିଥିବାରୁ ସେ ଇଡି କାର୍ଯ୍ୟାଳୟରେ ହାଜର ହେବେ ନାହିଁ ।

କହିରଖୁ କି ବେଆଇନ ଭାବେ ଖଣି ଖନନ ଓ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ପଙ୍କଜ ମିଶ୍ରାଙ୍କ ଠାରୁ କିଛି ସୂଚନା ପାଇ ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରା ଉଚରା କରିବାକୁ ନୋଟିସ କରିଥିଲା ।