କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାକୁ ନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ଅଡୁଆ ବଢିଛି । ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି । ଏହି ନୋଟିସରେ ତାଙ୍କୁ ଅଗଷ୍ଟ ୧୪ ତାରିଖ ଦିନ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଇଡି ଅଭିଯୋଗ କରିଛି କି ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ତାଙ୍କର ପରିବାର ଲୋକଙ୍କର ହାତ ରହିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କୁ ଗିରଫ କରାଯାଇଛି ।

Advertisment

ସମାନ ମାମଲାରେ ଇଡି ହେମନ୍ତ ସୋରେନଙ୍କୁ ନଭେମ୍ବର ୧୮ ତାରିଖରେ ପାଖାପାଖି ୧୦ ଘଣ୍ଟା ଜେରା କରିଥିଲା । ଏହି ଜେରା ପରେ ହେମନ୍ତ ସୋରେନ ଇଡିଙ୍କୁ ଏକ ଖୋଲାଚିଠି ଲେଖିଥିଲେ । ପୁଣି ସମାନ ମାମଲାରେ ଇଡି ତାଙ୍କୁ ନୋଟିସ କରିବା ପରେ ଅଡୁଆରେ ପଡିଛନ୍ତି ହେମନ୍ତ ସୋରେନ ।

ଏହି ମାମଲାରେ ଇଡି ଦାବି କରିଛି ୧ହଜାର କୋଟିରୁ ଅଧିକ ଟଙ୍କାର ବେଆଇନ ଖଣି ଖନନ ସମ୍ବନ୍ଧୀୟ ପିଓସି ଚିହ୍ନଟ କରିଛି । ଏହାସହ ଏହି ମାମଲାରେ ଇଡି ସାରା ଦେଶରେ ୪୭ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ଇଡିକୁ ନଗଦ ୫.୩୪ କୋଟି ଟଙ୍କା ଜବତ କରିବା ସହ ବିଭିନ୍ନ ଆକାଉଣ୍ଟ ସିଜ୍ ମଧ୍ୟ କରିଛି । କେବଳ ସେତିକି ନୁହେଁ ଇଡି ତରଫରୁ ୧ଟ୍ରକ୍, ଦୁଇଟି ଏକେ-୪୭ ଆସଲ୍ଟ ରାଇଫଲ ସହ ଅନେକ ଆପତ୍ତିଜନକ କାଗଜପତ୍ର ଜବତ କରିଛି ।