ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚମ୍ପଇ ସୋରେନ । ହେମନ୍ତ ସୋରେନ ପୁଣିଥରେ ଧରିବେ ଝାଡଖଣ୍ଡର ମଙ୍ଗ ।

278

କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବୁଧବାର ସନ୍ଧ୍ୟାରେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଚମ୍ପଇ ସୋରେନ । ଏହାସହ ପୂର୍ବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନୂଆ ସରକାର ଗଢିବାକୁ ଦାବି ଉପସ୍ଥାପନ କରିଛନ୍ତି । ଏହାସହ ହେମନ୍ତ ସୋରେନ ପୁଣିଥରେ ଝାଡଖଣ୍ଡର ମଙ୍ଗ ଧରିବା ଏକପ୍ରକାର ସ୍ପଷ୍ଟ ହୋଇଛି ।

ଜେଏମଏମ ନେତୃତ୍ୱାଧୀନ ମେଣ୍ଟ ର ବିଧାୟକ ଦଳ ବୈଠକରେ ହେମନ୍ତଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ସମସ୍ତ ବିଧାୟକ ପୁଣିଥରେ ହେମନ୍ତ ସୋରେନଙ୍କୁ ବିଧାୟକ ଦଳ ନେତା ବାଛିଛନ୍ତି । ଅନ୍ୟପଟେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ପରେ ଚମ୍ପଇ ସୋରେନ କହିଛନ୍ତି, କିଛି ଦିନ ପୂର୍ବରୁ ମୋତେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଦାୟିତ୍ୱ ମିଳିଥିଲା । ହେମନ୍ତ ସୋରେନ ଜେଲରୁ ଫେରିବା ପରେ ଆମ ମେଣ୍ଟ ପୁଣିଥରେ ତାଙ୍କୁ ବିଧାୟକ ଦଳ ନେତା କରିବାକୁ ସ୍ଥିର କରିଥିଲା । ତେଣୁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି । ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସମୟରେ ହେମନ୍ତ ସୋରେନ ମଧ୍ୟ ଉପସ୍ଥିତ ରହିଥିଲେ । ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା ଇଡି । ଜେଲ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେମନ୍ତ ।