ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ: ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ

189

କନକ ବ୍ୟୁରୋ: ଝାଡ଼ଖଣ୍ଡ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା । ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପଦ ଏବେ ସଙ୍କଟରେ । ୭ଥର ସମନ ସତ୍ୱେ ଇଡି ନିକଟରେ ହାଜର ନହେବା ପରେ ସୋରେନଙ୍କୁ ଘାରିଛି ଗିରଫ ଭୟ । ଏହା ଭିତରେ ସେଫ ଜୋନରେ ଖେଳି ସମୟ ଥାଉ ଥାଉ ଶାସନର ରିମୋଟ କଂଟ୍ରୋଲ ପତ୍ନୀ କଳ୍ପନାଙ୍କୁ ଦେବାକୁ କୁଆଡେ ବିଚାର କରୁଛନ୍ତି ହେମନ୍ତ । ଚର୍ଚ୍ଚାକୁ ଜୋର କରିଛି ବିଧାୟକ ସର୍ଫରାଜ ମହମଦଙ୍କ ଇସ୍ତଫା । ସେପଟେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସୋସିଆଲ ମିଡିଆ ପୋଷ୍ଟ ଖବରକୁ ଅଧିକ ଜୋରଦାର କରିଛି । ଏହା ଭିତରେ ବଡ ସୂଚନା । ଜାନୁଆୀ ୩ ତାରିଖରେ ବିଧାୟକ ଦଳ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ସୋରେନ ।

କିଛି ଘଂଟା ମଧ୍ୟରେ ଝାଡ଼ଖଣ୍ଡ ରାଜନୀତିରେ ବଡ ଧରଣର ପରିବର୍ତନ ହୋଇପାରେ । ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ହେମନ୍ତ ସୋରେନ । ଏହି ଚର୍ଚ୍ଚା ଆରମ୍ଭ ହୋଇଛି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟରୁ । ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକ ସର୍ଫରାଜ ଅହମଦ ଇସ୍ତଫା ଦେବା ପରେ ବ୍ୟକ୍ତିଗତ କାରଣ ଦର୍ଶାଇ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ଏବଂ ଆଗକୁ ପତ୍ନୀ କଳ୍ପନା ସୋରେନ୍ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ନିଶିକାନ୍ତ ଦୁବେଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇ ଯାଇଛି । ହେମନ୍ତ ସୋରେନ୍ ନିଜେ ପଦ ଛାଡି ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ପାରନ୍ତି ବୋଲି ପୁଣିଥରେ ଚର୍ଚ୍ଚା ଜୋର ଧରିଛି ।

ଯେବେଠୁ ହେମନ୍ତ ସୋରେନ ଇଡି ଜାଲରେ ଫସିଛନ୍ତି ସେବେଠୁ ପତ୍ନୀ କଳ୍ପନା ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ତେବେ ବିଧାୟକ ସର୍ଫରାଜ ଅହମଦ ଇସ୍ତଫା ଦେବା ପରେ ପୁଣିଥରେ ଏହି ପ୍ରସଙ୍ଗ ମୁଣ୍ଡ ଟେକିଛି ।

ଓଡ଼ିଶା ମୟୂରଭଞ୍ଜର ଝିଅ କଳ୍ପନା ସୋରେନ୍ ୨୦୦୬ ମସିହାରେ ହେମନ୍ତ ସୋରେନଙ୍କୁ ବିବାହ କରିଥିଲେ । ପେସାରେ କଳ୍ପନା ଜଣେ ବ୍ୟବସାୟୀ, ରାଜନୀତିରେ ଦୁରେଇ ରହିଥିଲେ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଅଛନ୍ତି । ହେମନ୍ତ ସୋରେନଙ୍କୁ ବିବାହ କରିବା ପରେ ରାଜନୀତିକୁ ଅତି ନିକଟରୁ ଦେଖିଛନ୍ତି ଓ ବୁଝିଛନ୍ତି । ଆଉ ସ୍ୱାମୀ ଇଡି ଜାଲରେ ଫସିବା ପରେ ସ୍ୱାମୀଙ୍କ ସ୍ଥାନରେ କଳ୍ପନା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି ।

ବିହାରରେ ଲାଲୁ ଯାଦାବ ବିବାଦରେ ଛନ୍ଦି ହେବା ପରେ, ରାବଡି ଦେବୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲେ । ଆଉ ଝାରଖଣ୍ଡରେ ଏହାର ପୁନରାବୃତି କରପାରନ୍ତି ହେମନ୍ତ ସୋରେନ । ପତ୍ନୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରି ଶାସନର ରିମୋଟ କଂଟ୍ରୋଲ ନିଜ ପାଖରେ ରଖିପାରନ୍ତି ।

ଇଡି ମାମଲାରେ ଛନ୍ଦି ହୋଇଥିବା ହେମନ୍ତଙ୍କୁ ଗିରଫ ଭୟ ଘାରିଛି । ରାଂଚି ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ବାରମ୍ବାଇ ଇଡି ସମନ ମିଳିବା ସତ୍ୱେ ସେ ହାଜର ହେଉନାହାଁନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ଟାର୍ଗେଟ କରାଯିବା ଆଶଙ୍କା ଭିତରେ ସଙ୍କଟ ମଧ୍ୟ ବଢ଼ୁଛି । ତେଣୁ ହାତରେ ସମୟ ଥାଉ ଥାଉ ସୋରେନ ସେଫ ଜୋନରେ ଗେମ୍ ଖେଳି ପଦରୁ ଇସ୍ତଫା ଦେବେ ଓ ତାଙ୍କ ସ୍ଥାନରେ କଳ୍ପନା ଦାୟିତ୍ୱ ନେବା ସମ୍ଭାବନା ଅଧିକ ହୋଇଛି । କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ହେମନ୍ତ କ୍ଷମତାର ଚାବିକୁ ପାଖରେ ରଖିବାକୁ ପସନ୍ଦ କରିବେ ବୋଲି କୁହାଯାଉଛି । ଯଦି କଳ୍ପନା ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ମୟୁରଭଂଜର ଝିଅ ପାଲଟିବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ।