ଝାଡଖଣ୍ଡ ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ଚଳଚଞ୍ଚଳ ଶିବୁ ସୋରେନ୍ । ୧୫ ମିନିଟ ଭିତରେ ସନ୍ତୋଷ୍ଟ ହେଲେ ବିଦ୍ରୋହୀ ବିଧାୟକ

1,664

କନକ ବ୍ୟୁରୋ : ଝାଡଖଣ୍ଡରେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଥିଲେ ବି ଏବେ ତାଙ୍କ ପାଇଁ ବହୁମତ ସାବ୍ୟସ୍ତ କରିବା ହେଉଛି ସବୁଠାରୁ ବଡ ସମସ୍ୟା । ଆସନ୍ତାକାଲି ଝାଡଖଣ୍ଡ ରାଜ୍ୟପାଳ ଚମ୍ପାଇ ସୋରେନଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି । ସେପଟେ ବିଧାୟକମାନଙ୍କୁ ଏକାଠି ରଖିବାକୁ ଜେଏମଏମ ତରଫରୁ ପ୍ରଥମେ ହାଇଦ୍ରାବାଦ ଓ ଏବେ ରାଞ୍ଚିକୁ ଅଣାଯାଇଛି । ସେପଟେ ଅସନ୍ତୋଷ୍ଟ ଥିବା ବିଧାୟକମାନେ ଆଜି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ଭେଟିଛନ୍ତି । ଶିବୁ ସୋରେନଙ୍କ ସହ କଥା ହେବା ପରେ ସେମାନେ ଫ୍ଲୋର ଟେଷ୍ଟ ବେଳେ ସରକାରଙ୍କ ସମର୍ଥନରେ ଭୋଟ ଦେବାକୁ ସହମତି ପ୍ରକାଶ କରିଛନ୍ତି ।

ଏହା ପୂର୍ବରୁ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ କିଛି ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ । କେବଳ ସେତିକି ନୁହେଁ ସେମାନେ ଦଳ ଛାଡିବା ନେଇ ମଧ୍ୟ ଚେତାବନୀ ଦେଇଥିଲେ । ଏସବୁ ଭିତରେ ଶିବୁ ସୋରେନ ସେମାନଙ୍କୁ ବୁଝାସୁଝା କରିଛନ୍ତି ।

ସୂଚନା ଥାଉ କି, ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଥିବା ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛିା ଗିରଫ ହେବା ପୂର୍ବର ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ହେମନ୍ତ ସୋରେନ ଗିରଫ ହେବାର ଗୋଟିଏ ଦିନ ପରେ ଦଳର ବରିଷ୍ଠ ନେତା ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆସନ୍ତା କାଲି ଅର୍ଥାତ ଫେବୃଆରୀ ୫ ତାରିଖରେ ଚମ୍ପାଇ ସୋରେନ ବହୁମତ ସାବ୍ୟସ୍ତ କରିବେ ।