ପୁଲିସ ହାତରେ ଝରାଫୁଲଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ: ବିଳମ୍ବିତ ରାତିରେ ହିଁ ଯାଇଛି ଝରାଫୁଲଙ୍କ ଜୀବନ ! ନିଶାଜନିତ ବିଷକ୍ରିୟା କିମ୍ବା ହୃଦ‌ଘାତରେ ହୋଇଥାଇପାରେ ମୃତ୍ୟୁ !

1,238

କନକ ବ୍ୟୁରୋ: ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ତଦନ୍ତକାରୀ ପୁଲିସ ହାତରେ ଲାଗିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ମୃତ୍ୟୁର କାରଣ ନେଇ ମିଳିଛି ଚାଞ୍ଚଲ୍ୟକର ତଥ୍ୟ। ତେବେ ପୁଲିସ ଏ ସମ୍ପର୍କରେ ମୁହଁ ଖୋଲିନାହିଁ। ଅତି ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ହିଁ ଝରାଫୁଲଙ୍କ ମୃତ୍ୟୁ ହୋଇଛି। ଅର୍ଥାତ୍ ଗେଷ୍ଟହାଉସରେ ହିଁ ଝରାଫୁଲଙ୍କ ଜୀବନ ଯାଇଛି। ଝରାଫୁଲଙ୍କ ମୃତ୍ୟୁ ବେଳେ ପାଟି ଓ ନାକରୁ ଫେଣ ବାହାରୁଥିଲା। ତେବେ ତାଙ୍କ ଶରୀରରେ କୌଣସି କ୍ଷତଚିହ୍ନ ନଥିଲା। ତେଣୁ ଖାଦ୍ୟରେ ବିଷକ୍ରିୟା କିମ୍ବା ତାଙ୍କୁ ବିଷ ଦିଆଯାଇ ଥାଇପାରେ ବୋଲି କୁହାଯାଉଛି। ତେଣୁ ଖାଦ୍ୟ ବା ନିଶାଦ୍ରବ୍ୟଜନିତ ବିଷକ୍ରିୟା ଓ ହୃଦଘାତ ମୃତ୍ୟୁର କାରଣ ହୋଇଥାଇପାରେ।

ତେବେ ନିଶାଦ୍ରବ୍ୟଜନିତ ବିଷକ୍ରିୟା କେମିତି ହୋଇଛି ତାକୁ ନେଇ ଅଧିକ ତର୍ଜମା ଚାଲିଛି। ଝରାଫୁଲ କୌଣସି ଉତ୍ତେଜକ ଔଷଧ କିମ୍ବା ନିଶାଦ୍ରବ୍ୟ ସେବନ କରିଥିଲେ ନା ନାହିଁ, ସେ ନେଇ ଡାକ୍ତରଙ୍କ ସହ ପୁଲିସ ଅଧିକ ଆଲୋଚନା ଜାରି ରଖିଥିବାବେଳେ ଭିସେରା ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଏହା ବ୍ୟତୀତ ସେଦିନ ରାତିରେ ରାକେଶଙ୍କ ସହ ଆଉ କେଉଁମାନେ ଖଣ୍ଡଗିରି ଧର୍ମବିହାର ସ୍ଥିତ ଗେଷ୍ଟହାଉସରେ ଥିଲେ ଏବଂ ଝରାଫୁଲ ସହ ସେମାନଙ୍କ କି ପ୍ରକାର ସଂପର୍କ ଥିଲା ସେ ନେଇ ପୁଲିସ ଅନେକ ତଥ୍ୟ ପାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ରାକେଶର ସହଯୋଗୀ ଶେଖରକୁ ଧରିବା ପାଇଁ ଯାଜପୁର ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ ଜାରି ରଖିଛି। ଶେଖର ଧରାପଡ଼ିବା ପରେ ଆହୁରି ଅଧିକ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି। ମୃତଦେହକୁ ଫିଙ୍ଗିବା ପାଇଁ ଯେଉଁ ନାଲିରଙ୍ଗର ସ୍କୁଟି ବ୍ୟବହାର ହୋଇଥିଲା, ତାହାକୁ ଜବତ କରିବା ଲାଗି ପୁଲିସ ଛାନଭିନ୍ ଚଳାଇଛି। ସୂଚନାଯୋଗ୍ୟ, ଶନିବାର ତଦନ୍ତକାରୀ ଟିମ୍ ସାଇଣ୍ଟିଫିକ୍ ଟିମ୍ ସହ ଗେଷ୍ଟ ହାଉସରେ ଚଢ଼ଉ କରି ବେଡ୍‌ସିଟ୍, ଫିଙ୍ଗରପ୍ରିଣ୍ଟ, କିଛି ନମୁନା ସଂଗ୍ରହ କରିଛି। ଏହାକୁ ଅଧିକ ପରୀକ୍ଷା ଲାଗି ରାଜ୍ୟ ଫରେନସିକ୍ ଲାବରେଟାରିକୁ ପଠାଯାଇଛି।