ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତଦେହ କେଉଁଠି ପକାଇଥିଲା ରାକେଶ ? ପୁଲିସ ଗାଡିରେ ବସି ଘଟଣାସ୍ଥଳକୁ ଗଲା ଅଭିଯୁକ୍ତ । ମୃତଦେହ ପଡିଥିବା ସ୍ଥାନ ଚିହ୍ନାଇଲା

ସେପଟେ ଝରାଫୁଲଙ୍କ ବାପାଙ୍କ ସହ ମୁହାଁମୁହିଁ ବସାଇ ଜେରା

530

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତଦେହ ମିଳିଥିବା ସ୍ଥାନକୁ ଅଭିଯୁକ୍ତ ରାକେଶକୁ ନେଇଛି ପୁଲିସ । କୁଆଖିଆ ଥାନା ଦିଆଲଖଣ୍ଡି ଅଂଚଳରେ ଯେଉଁଠାରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା ସେଠାକୁ ରାକେଶକୁ ନିଆଯାଇ ମୃତଦେହ ମିଳିଥିବା ସ୍ଥାନକୁ ଚିହ୍ନଟ କରାଯାଇଛି । ଅଭିଯୁକ୍ତ ରାକେଶକୁ ପୁଲିସ ଗାଡିରୁ ଓହ୍ଲାଇବାକୁ ଦେଇନଥିଲା । ଗାଡି ଭିତରେ ବସି ମୃତଦେହ ପଡିଥିବା ଜାଗାକୁ ଦୂରରେ ଚିହ୍ନଟ କଲା ଅଭିଯୁକ୍ତ । ଯାଗା ଚିହ୍ନଟ ପରେ ରାକେଶକୁ ପୁଣି ଥାନାକୁ ନିଆଯାଇଛି ।

ରା‌କେଶ ଜଣେ ପାଇପ୍ ମିସ୍ତ୍ରି ହୋଇଥିବାବେଳେ ମୟୂରଭଞ୍ଜ ଯଶିପୁରର ଝରାଫୁଲଙ୍କ ଗାଁରେ ଭୂତଳ ପାଇପ୍ ବିଛା କାମରେ ନିୟୋଜିତ ଥିଲା । ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ଝରାଫୁଲ ଯେତେବେଳେ ବି ଭୁବନେଶ୍ବର ଆସୁଥିଲେ, ରାକେଶ ତାହା ଜାଣୁଥିଲା ଏବଂ ଉଭୟ ଏଠାରେ ଖୁଲମଖୁଲା ମିଳାମିଶା କରୁଥିଲେ । ପୂର୍ବରୁ ରା‌କେଶଙ୍କ କହିବା ଅନୁଯାୟୀ, ୨୬ ତାରିଖ ସକାଳେ ଝରାଫୁଲ ଯଶିପୁର ଯିବା ଲାଗି ଜୟଦେବବିହାରରୁ ଝାଡ଼େଶ୍ବର ବସ୍‌ରେ ଚଢ଼ିବା ପରେ ବାଣୀବିହାର ଛକରେ ଓହ୍ଲାଇ ପଡ଼ିଥିଲେ ଏବଂ ଚାଲିଚାଲି ରୁପାଲି ଛକ ଯାଏ ଯାଇଥିଲେ । ସେଠାରେ ଅପେକ୍ଷା କରିଥିବା ରାକେଶ ତାଙ୍କୁ ସ୍କୁଟରରେ ବସାଇ ରାଜଧାନୀର ଏକ ହୋଟେଲକୁ ନେଇ ଯାଇଥିଲା । ଦୁହେଁ ହୋଟେଲରେ ରାତିରେ ରହିଥିଲେ । ତେବେ ସକାଳେ ଝରାଫୁଲକୁ ଅଚେତ ଅବସ୍ଥାରେ ପାଇ ରାକେଶର ମୁଣ୍ଡ କାମ କରି ନ ଥିଲା । ତେଣୁ ସେ ତା’ର ବନ୍ଧୁ ଶେଖରକୁ ଡାକିଥିଲା । ଶେଖର ଓ ସେ ଝରାଫୁଲକୁ ମଝିରେ ବସାଇ ଏନ୍‌ଏଚ୍‌ରେ କିଛିବାଟ ଗଲା ପରେ ଝରାଫୁଲର ମୃତ୍ୟୁ ହୋଇଯାଇଥିବା ଜାଣିପାରି ଭୟରେ ମୃତଦେହକୁ କୁଆଖିଆ ନିକଟରେ ଫିଙ୍ଗିଦେଇ ପଳାଇ ଆସିଥିଲେ ।

ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଓ ଝରାଫୁଲଙ୍କ ବାପାଙ୍କୁ ମୁହାଁମୁହିଁ ବସାଇ ଜେରା କରୁଛି ପୁଲିସ । ରାକେଶଙ୍କ ସହ ରମାଦେବୀ ଛାତ୍ରୀଙ୍କ ପ୍ରେମସଂପର୍କ ବାବଦରେ ଜେରା ଚାଲିଛି । ସେଦିନ ଝରାଫୁଲ ସାଥିରେ କ’ଣ ଘଟିଥିଲା ଏନେଇ ରାକେଶକୁ ଜେରା କରୁଛନ୍ତି ଏସଡିପିଓ । ଜିଲ୍ଲା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ରିମାଣ୍ଡ ପାଇବା ପରେ ରାକେଶକୁ ଆଣିବା ପାଇଁ ସକାଳୁ ଯାଜପୁର ସବଜେଲରେ ପହଂଚିଥିଲା କୁଆଖିଆ ପୋଲିସ । ସକାଳ ସାଢ଼େ ୭ଟାରେ ରାକେଶକୁ କଡ଼ା ସୁରକ୍ଷା ଭିତରେ ଅଣାଯାଇଥିଲା ।

ପ୍ରଥମେ ରାକେଶର ଯାଜପୁର ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ମାମଲାର ତଦନ୍ତ ଅଧିକାରୀ ଯାଜପୁର ରୋଡ଼ ଏସଡିପିଓ ରାକେଶକୁ ଜେରା କରୁଛନ୍ତି । ଆବଶ୍ୟକ ପଡିଲେ ରାକେଶକୁ ଭୁବନେଶ୍ୱର ଆଣି ଶିବସାହୁ ଗେଷ୍ଟ ହାଉସରେ ସିନ୍ ରି-କ୍ରିଏସନ କରିପାରେ ପୋଲିସ । ସେପଟେ ରାକେଶର ସହଯୋଗୀକୁ ଗିରଫ କରିବାକୁ ଦାବି କରିଛନ୍ତି ଝରାଫୁଲର ବାପା । ରାକେଶଓ ତାର ସହଯୋଗୀ ଝରାଫୁଲର ମୃତଦେହକୁ ସ୍କୁଟିରେ ନେଇ ଫିଙ୍ଗିଥିଲେ । ତେଣୁ ତାଙ୍କୁ ଗିରଫ କଲେ ସତ୍ୟ ପଦାକୁ ଆସିବ ବୋଲି ଝରାଫୁଲର ବାପା କହିଛନ୍ତି ।