ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟାର ଫିଟିଲା ଗୁମର : ଏସପି କହିଲେ, ନାକ, ପାଟିକୁ ବନ୍ଦ କରି ହତ୍ୟା କରିଥିଲା ବନ୍ଧୁ ରାକେଶ

ଧାର ଟଙ୍କା ଫେରାଇବା ପାଇଁ ବାରମ୍ବାର କହୁଥିଲେ ଝରାଫୁଲ; ରାସ୍ତାରୁ ହଟାଇ ଦେବାକୁ ଓୟୋ ରୁମକୁ ନେଇ ସଇତାନ ରଚିଥିଲା ଷଡଯନ୍ତ୍ର   

1,947

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରିଥିଲା ବନ୍ଧୁ ରାକେଶ । ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇ ଯାଜପୁର ଏସପି କହିଛନ୍ତି ତାଙ୍କ ନାକ ଓ ପାଟିକୁ ବନ୍ଦ କରି ହତ୍ୟା କରିଥିଲା ରାକେଶ । ଧାର ଟଙ୍କା ଫେରାଇବା ପାଇଁ ଝରାଫୁଲ କହିବାରୁ ତାକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା ଏହି ସଇତାନ ।

ତାପରେ ଏକ ଜନ୍ମଦିନ ଭୋଜିରେ ଭୁବନେଶ୍ୱର ଆସିଥିବାବେଳେ ଟଙ୍କା ଫେରାଇବାକୁ ମିଛ ପ୍ରତିଶ୍ରୁତି ଦେଓ ଓୟୋ ରୁମରେ ଅପେକ୍ଷା କରିବାକୁ କହିଥିଲା । ଆଉ ତାପରେ ଯୋଜନା ଅନୁଯାୟୀ ମଦ ପିଇବାକୁ ବାଧ୍ୟ କରିଥିଲା । ଏହି ସମୟରେ ଝରାଫୁଲଙ୍କ ନାକ ଓ ପାଟିକୁ ବନ୍ଦ କରି ହତ୍ୟା କରିଥିଲା । ସେ ଏକା ମାରିଥିଲା । କିନ୍ତୁ ମାରିବା ପରେ ମୃତ ଦେହକୁ ଲୁଚାଇବା ପାଇଁ ଷଡଯନ୍ତ୍ରରେ ତାକୁ ଆଉ ଦୁଇ ଜଣ ସହଯୋଗ କରିଥିଲେ । ଜଣେ ସ୍କୁଟିରେ ଝରାଫୁଲଙ୍କ ମୃତ ଦେହ ନେବାରେ ସହଯୋଗ କରିଥିଲା ।ତାକୁ ଆଜି ଗିରଫ କରାଯାଇଛି । ଏହା ପୂର୍ବରୁ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ।

ଜାନୁଆରୀ ୨୬ ତାରିଖ ରାତିରେ ଭୁବନେଶ୍ୱରର ଏକ ଗେଷ୍ଟହାଉସର ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା । ତାପରଦିନ ସକାଳୁ ଝରାଫୁଲଙ୍କ ମୃତଦେହକୁ ଏକ ସ୍କୁଟିରେ ପ୍ରେମିକ ରାକେଶ ଓ ଶେଖର ଯାଜପୁର କୁଆଖିଆ ପର୍ଯ୍ୟନ୍ତ ନେଇଥିଲେ । ସେଠାରେ ଏକ ନିଛାଟିଆ ସ୍ଥାନ ଦେଖି ମୃତଦେହକୁ ଫୋପାଡି ଦେଇ ଚାଲି ଆସିଥିଲେ । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ସିସିଟିଭି ଫୁଟେଜକୁ ଆଧାର କରି ରାକେଶକୁ ଜେରା କରିଥିଲା ପୋଲିସ । ପରେ ତାକୁ ଓ ଅନ୍ୟ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏନେଇ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଏସପି କହିଛନ୍ତି ।