କନକ ବ୍ୟୁରୋ: ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଆଉ ଏତିକିବେଳେ ସାମନାକୁ ଆସିଛି ନୂଆ ତଥ୍ୟ । ଯାହା ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ବଢାଇଛି । ଶ୍ୱାସରୁଦ୍ଧ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟରେ ଝରାଫୁଲଙ୍କ ଶ୍ୱାସରୁଦ୍ଧରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଆସିଥିବା ବେଳେ ଆନୁଷ୍ଠାନିକ ଭାବେ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ ।

Advertisment

ପୂର୍ବରୁ ଅସୁସ୍ଥତା କାରଣରୁ ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଇଥିବା ବେଳେ ଏବେ କିନ୍ତୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ଦୃଢୀଭୂତ ହେଉଛି । ଗେଷ୍ଟ ହାଉସ ରୁମ ଭିତରେ ଯଦି ଝରାଫୁଲକୁ ହତ୍ୟା କରାଯାଇଛି ,ରାକେଶ ହିଁ ହତ୍ୟାକାରୀ ବୋଲି ଧରିନିଆଯାଇପାରେ । ସେପଟେ ଆଜି ସରିଛି ରାକେଶ ସ୍ୱାଇଁର ୩ ଦିନିଆ ରିମାଣ୍ଡ ଅବଧି । ଏହା ପରେ ରାକେଶର ଡାକ୍ତରୀ ପରୀକ୍ଷା କରାଇ ତାକୁ କୋର୍ଟରେ ହାଜର କରାଯାଇଥିଲା । କୁଆଖିଆ ପୋଲିସ ଆଉ ରିମାଣ୍ଡ ଆବେଦନ ନକରିବାରୁ ବିଚାର ବିଭାଗୀୟ ହାଜତକୁ ଯାଇଛି ରାକେଶ ସ୍ୱାଇଁ ।