ଭୟାନକ ସଡକ ଦୁର୍ଘଟଣା । ଓଲଟିଲା ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଟ୍ରାକ୍ଟର, ୧୧ ମୃତ

161

କନକ ବ୍ୟୁରୋ : ବିଜୟାଦଶମୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ ଜଣ ମହିଳାଙ୍କ ସମେତ ମୋଟ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଅନେକ ଲୋକ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ଜଣ ଛୋଟ ପିଲାଥିବା କଥା କୁହାଯାଇଛି ।

ସୂଚନା ମୁତାବକ ଝାନ୍ସିର ଚିରଗାଁଓ କ୍ଷେତ୍ରରେ ଶୁକ୍ରବାର ଦିନ ବଡ ଦୁର୍ଘଟଣା ହୋଇଛି । ମାଣ୍ଡେର ରୋଡ ସ୍ଥିତ ଛିନ୍ନୋରା ଗାଁର ଶ୍ରଦ୍ଧାଳୁମାନେ ମୂର୍ତ୍ତି ବିଷର୍ଜନ କରି ଫେରୁଥିବାବେଳେ ଚିରଗାଁଓ ନିକଟରେ ଟ୍ରାକ୍ଟର ଓଲଟି ପଡିବା ଫଳରେ ଘଟଣା ସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଟ୍ରାକ୍ଟରେ ମୋଟ ୩୨ ଜଣ ଲୋକ ଥିଲେ । ମରିଥିବା ଲୋକମାନଙ୍କ ମଧ୍ୟରେ ୭ ଜଣ ମହିଳା ଓ ୪ ଜଣ ଛୋଟ ପିଲା ରହିଛନ୍ତି । ଖବର ପାଇଁ ସ୍ଥାନୀୟ ପୋଲିସ ପହଂଚି ଉଦ୍ଧାର କରିବା ସହ ଆହତ ମାନଙ୍କୁ ମେଡିକାଲ ପଠାଇଛି ।

କହିରଖୁ କି ଶ୍ରଦ୍ଧାଳୁମାନେ ଟ୍ରାକ୍ଟରର ଟ୍ରଲିରେ ବସି ମୂର୍ତ୍ତି ବିଷର୍ଜନ କରି ଫେରୁଥିଲେ । ହଠାତ ରାସ୍ତାରେ ଟ୍ରାକ୍ଟର ଆଗକୁ ଏକ ଗୋରୁ ଚାଲିଆସିଥିଲା । ଏନେଇ ଟ୍ରାକ୍ଟର ଚାଳକ ଭାରସାମ୍ୟ ହରାଇ ଟ୍ରାକ୍ଟରଟିକୁ ରାସ୍ତା ତଳକୁ ଗଡାଇ ଦେଇଥିଲେ । ଫଳରେ ଟ୍ରଲିଟି ସମ୍ପୂର୍ଣ୍ଣ ଓଲଟି ପଡିଥିଲା ।