ପଣା ସଂକ୍ରାନ୍ତିରେ ଝାମୁଯାତ୍ରାର ଚମକ! ନିଆଁରେ ଚାଲିଲେ, ଜିଭରେ କଂଟା ଫୋଡିଲେ, ଧୁଳିରେ ଗଡ଼ିଲେ ମାନସିକଧାରୀ

44

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପାଳିତ ହୋଇଛି ଝାମୁଯାତ୍ରା । ମାସକର ଉପବାସ ପରେ ପାଟୁଆ ନିଆଁ ଉପରେ ଚାଲିଛନ୍ତି । ସେହିପରି ଗଂଜାମରେ ଏହାକୁ ମେରୁଯାତ୍ରା ଭାବେ ପାଳନ କରାଯାଇଛି । ଶରୀରକୁ କଷ୍ଟଦେଇ ଦୈବୀକୃପା ପାଇବାର ଧର୍ମବିଶ୍ୱାସ ଏହି ପୂଜାପଦ୍ଧତିର ଆଧାର । ବିଜ୍ଞାନର ଯୁଗରେ ଆଜି ବି ଦେଖିବାକୁ ମିଳିଛି ପୁରୁଣା ପ୍ରଥା ।

ବିଶ୍ୱାସ, ଅନ୍ଧବିଶ୍ୱାସରୁ ଉଦ୍ଧ୍ୱର୍ରେ ପୁରୁଣା ପରମ୍ପରାକୁ ମାନି ଚାଲିଛି ଶକ୍ତି ଉପାସନା । ଜଗତସିଂହପୁର ମା’ ଶାରଳାଙ୍କ ପୀଠରେ ମାସ ସାରା ମାତୃ ମହିମା ଶୁଣାଇ ଝାମୁଯାତ୍ରା ଦିନ ନିଆଁରେ ଅଗ୍ନିପରୀକ୍ଷା ଦେଇଛନ୍ତି ପାଟୁଆ ସେବକ । ଶରୀରକୁ କଷ୍ଟ ଦେଇ ମା’ଙ୍କ ଆଶୀର୍ବାଦ ପାଇବା ଏହି ପୂଜାପଦ୍ଧତିର ମୁଳ ଆଧାର । ସେହିଭଳି ଗଂଜାମ ପୋଲସରା ବ୍ଲକ୍ ରୁମାଗଡ଼ ମା’ ଦଣ୍ଡକାଳୀ ମନ୍ଦିରର ଭକ୍ତ ଦେଉଛନ୍ତି ଭକ୍ତିର ପରୀକ୍ଷା । ଯେଉଁଠି ମାନସିକଧାରୀଙ୍କ ମନ କହୁଛି ଶରୀରକୁ କଷ୍ଟ ଦେଲେ ହିଁ ମିଳିବ ମାତୃକୃପା ।

ବାବା ଚନ୍ଦନେଶ୍ୱର ଚଡ଼କମେଳା ଉଦଯାପନୀ ଦିନରେ ମାନସିକଧାରୀ ମାନେ ଯାହା କରୁଥିଲେ ତାହା ଆପଣଙ୍କୁ ଆଶ୍ଚଯ୍ୟ କରିବ । ଜିଭରେ କଂଟାଫୋଡ଼ି ଭକ୍ତକରୁଛନ୍ତି ଚନ୍ଦନେଶ୍ୱରଙ୍କ ଉପାସନା । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ମାନସିକଧାରୀ ନିଜକୁ ଦେଉଛନ୍ତି କଷ୍ଟ ।ସେହିଭଳି କେନ୍ଦ୍ରାପଡ଼ା ପାଟକୁରା ଅଂଚଳରେ ମାସକ କାଳ ଉପବାସ ପରେ ନିଆଁରେ ଭକ୍ତ ଦେଉଛନ୍ତି ଅଗ୍ନିପରୀକ୍ଷା । ମନରେ ରହିଛି ଦୈବୀକୃପା ଲାଭର ଇଚ୍ଛା । ପୂଜାର୍ଚ୍ଚନାର ରହିଛି ଅନେକ ବାଟ । ମେରୁଉତ୍ସବ ଓ ଝାମୁଯାତ୍ରା ସେଭଳି ହିଁ ଏକ ଅବସର ଯେଉଁଠି ଦୈବୀକୃପା ସାମ୍ନାରେ ମଣିଷ ଶରୀରକୁ ତୁଚ୍ଛ କରିଦିଆଯାଏ । ବିଜ୍ଞାନ ସମ୍ମତ ହୋଇନଥିଲେ ବି ପରମ୍ପରାରେ ଆଜି ବି ଏହା ଉପରେ ଲୋକଙ୍କ ଆସ୍ଥା ।