ସ୍ୱାବଲମ୍ବୀ ମହିଳା ବ୍ୟବସାୟୀ ରାଜେଶ୍ୱରୀଙ୍କ ପ୍ରେରଣାଦାୟୀ କାହାଣୀ । ୫ ହଜାର ଟଙ୍କାରୁ ଆରମ୍ଭ କରିଥିଲେ ବାଉଁଶ କାରିଗରୀ, ଆଜି ୫୦ ଲକ୍ଷ ପହଞ୍ଚିଛି ତାଙ୍କ କୁଟୀର ଶିଳ୍ପ ।

344

କନକ ବ୍ୟୁରୋ : ଇଂଟରନେଟ ଓ ଡ଼ିଜିଟାଲ ଯୁଗରେ ବଦଳିଛି ବ୍ୟବସାୟର ତରିକା । ଘରେ ବସି ବି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ହେବ । ଏଥିପାଇଁ କେବଳ ଇଛାଶକ୍ତି ଓ ଦୃଢ ମନୋବଳ ଆବଶ୍ୟକ । ଜଙ୍ଗଲର ଅଦରକାରୀ ବାଉଁଶ ହେଉ କି ମହାପୁରୁଷଙ୍କ ଛବି । ଏସବୁକୁ ଜୀବନ୍ତ ରୂପ ଦେଇ ଲକ୍ଷାଧିକ ଟଙ୍କା ରୋଜଗାର କରି ପ୍ରେରଣାଦାୟୀ ମହିଳା ପାଲଟିଛନ୍ତି ଜୟପୁର ସହରର ରାଜେଶ୍ୱରୀ ଷଢ଼ଙ୍ଗୀ ।

ବାଉଁଶକୁ ନେଇ ଏକ ଭିନ୍ନ କୁଟୀରଶିଳ୍ପ । ଜୟପୁରରୁ ଆସିଛି ସ୍ୱାବଲମ୍ବୀ ମହିଳାଙ୍କ ପ୍ରେରଣାଦାୟୀ ଖବର । ଘରେ ବସି ଲକ୍ଷାଧିକ ଟଙ୍କାର ବ୍ୟବସାୟ କରୁଛନ୍ତି ମହିଳା । ୫ ହଜାର ଟଙ୍କା ଖର୍ଚ୍ଚରେ ଏକ ଅନୁଷ୍ଠାନ ଆରମ୍ଭ କରିଥିଲେ ଜୟପୁରର ବାଉଁଶ କାରିଗର ରାଜେଶ୍ୱରୀ ଷଡଙ୍ଗୀ । ଯାହା ଆଜି ଗଢି ତୋଳିଛି ଭିନ୍ନ ଏକ କୁଟିର ଶିଳ୍ପ । ରାଜେଶ୍ୱରୀଙ୍କ ଦ୍ୱାରା ତିଆରି ହେଉଥିବା ସୁନ୍ଦର ସୁନ୍ଦର ଘରକରଣା ସାମଗ୍ରୀ ଓ ଫଟୋ ଫ୍ରେମ୍ ସମସ୍ତଙ୍କ ମନ କିଣିଛି । ଏହାସହ ଦେବାଦେବୀ, ମହାପୁରୁଷଙ୍କ ଫଟୋକୁ ବାଉଁଶରେ ଫ୍ରେମରେ ଜୀବନ୍ତ କରି ଗଢି ତୋଳିଛନ୍ତି ଏହି ମହିଳା ବାଉଁଶ କାରିଗର । ଯାହା ଆଧୁନିକ ଯୁଗର ଯୁବପୀଢିଙ୍କୁ ବେଶ ଆକର୍ଷିତ କରୁଛି ।

କଳା କ୍ଷେତ୍ରରେ ଡିପ୍ଳୋମା ପଢିବା ପରେ କିଛି ଅଲଗା କରି ଦେଖାଇବାକୁ ପଣ କରିଥିଲେ ରାଜେଶ୍ୱରୀ । ତେଣୁ ୭ ବର୍ଷ ତଳେ ଅଦରକାରୀ ବାଉଁଶକୁ ନେଇ ଭିନ୍ନ ଭିନ୍ନ ଢଙ୍ଗରେ ଘରକରଣା ସାମଗ୍ରୀ ପ୍ରସ୍ତୁତ କଲେ । ଯାହା ଆଜି ତାଙ୍କୁ ଜଣେ ସ୍ୱାବଲମ୍ବୀ ଓ ସଫଳ ବ୍ୟବସାୟୀ ଭାବେ ସାରା ବିଶ୍ୱରେ ପରିଚିତ କରିଛି । ରାଜେଶ୍ୱରୀଙ୍କ ସ୍ୱାମୀ ବି ଜଣେ କଳାକାର । ଉଭୟଙ୍କ ପ୍ରଚେଷ୍ଟାରେ ଏହି ବାଉଁସ କାରିଗରୀ ଦେଶ ବାହାରେ ବି ଖ୍ୟାତି ଅର୍ଜନ କରିଛି । ଅନଲାଇନ୍ ବ୍ୟବସାୟକୁ ସେମାନେ ମାଧ୍ୟମ କରିଛନ୍ତି । ଏସବୁ କାମରେ ସେ ଅନେକ ମହିଳାଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି । ୫ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ବ୍ୟବସାୟ ଏବେ ୫୦ ଲକ୍ଷ ଅତିକ୍ରମ କରିଥିବା କୁହନ୍ତି ରାଜେଶ୍ୱରୀଙ୍କ ସ୍ୱାମୀ ।