୨୦୨୪ ପାଇଁ ରବି ନନ୍ଦଙ୍କ ରଣନୀତି ! ଜୟପୁରରେ ପତ୍ନୀ ହେଲେ ପାୱାରଫୁଲ୍, ବଢିଲା ରାଜନୀତି ।

555

କନକ ବ୍ୟୁରୋ : କିଛି ଦିନର ନିରବତା ପରେ ପୁଣି ଚଳଚଂଚଳ ହୋଇ ଉଠିଛି ଜୟପୁର ରାଜନୀତି । ନିର୍ବାଚନ ବହୁ ଦୂରରେ ରହିଥିବା ବେଳେ ଏବେ ଠାରୁ ଅଂଟା ଭିଡ଼ିଲାଣି ଜୟପୁର ବିଜେଡ଼ି । ଆଗାମୀ ଦିନରେ ହୁଏତ ଜୟପୁରରେ ଆଉ ରବି-ତାରାଙ୍କ ଲଢ଼େଇ ଦେଖିବାକୁ ମିଳିନପାରେ । ରବି ନନ୍ଦଙ୍କ ବଦଳରେ ନିର୍ବାଚନ ଲଢ଼ିପାରନ୍ତି ତାଙ୍କ ପତ୍ନୀ ଇନ୍ଧିରା ନନ୍ଦ ।

୨୦୨୪ ପାଇଁ ରବି ନନ୍ଦଙ୍କ ରଣନୀତି ! ଜୟପୁରରେ ପତ୍ନୀ ହେଲେ ପାୱାରଫୁଲ୍ । ଏ ଚର୍ଚ୍ଚା ଏଇଥି ପାଇଁ ଯେ, ଆଖପାଖରେ ନିର୍ବାଚନ ନାହିଁ । କିନ୍ତୁ ସରଗରମ କୋରାପୁଟ ଜୟପୁର ରାଜନୀତି । ଜୟପୁରରେ ବିଜେଡିର ଦଳୀୟ ସଂଗଠନ ହେଉ କି କର୍ମୀ ସମ୍ମିଳନୀ କେଉଁଠି ଆଉ ରବି ନନ୍ଦଙ୍କୁ ଦେଖିବାକୁ ମିଳୁନାହିଁ । ଏବେ ସବୁଠି ତାଙ୍କ ସ୍ତ୍ରୀ ଇନ୍ଧିରା ନନ୍ଦ ନେତୃତ୍ୱ ନେଉଥିବା ନଜରକୁ ଆସୁଛି ।

ତେବେ ଆଗକୁ ଜୟପୁର ନିର୍ବାଚନ ମଣ୍ଡଳିରେ ଇନ୍ଧିରା ନନ୍ଦ ବିଜେଡିର ନେତୃତ୍ୱ ନେବେ ବୋଲି ଦଳୀୟ କର୍ମୀ ଓ ବରିଷ୍ଠ ନେତା କହୁଥିବା ବେଳେ ଏହାକୁ ସ୍ୱୀକାର କରିଛନ୍ତି ରବି ନନ୍ଦଙ୍କ ପତ୍ନୀ । ଏସବୁ ପରେ ଆଗାମୀ ଦିନରେ ନିର୍ବାଚନରେ ରବି ନନ୍ଦ ନୁହେଁ ତାଙ୍କ ପତ୍ନୀ ମୈଦାନକୁ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ତେବେ ଜୟପୁରରେ ଗାଦିକୁ ଫେରିବା ପାଇଁ ପତ୍ନୀଙ୍କୁ ଆଗକୁ ଛାଡ଼ିଛନ୍ତି କି ରବି ନନ୍ଦ ? ନା ନବୀନ ନିବାସରୁ ନିର୍ଦ୍ଦେଶ ଆସିଛି ? ତାହା ତ ଏଯାଏଁ ଜଣାପଡିନି, କିନ୍ତୁ ଜୟପୁର ରାଜନୀତିରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ କୋରାପୁଟ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ସଭାପତି ଇନ୍ଧିରା ନନ୍ଦଙ୍କ ମଧ୍ୟରେ ଲଢେଇ ଆରମ୍ଭ ହୋଇ ସାରିଛି । ନିକଟରେ ବିଧାନସଭାରେ କେସିସି ବ୍ୟାଙ୍କ ବୋର୍ଡ଼ର କାର୍ଯ୍ୟକଳାପ ଓ ସଭାପତିଙ୍କ ଗସ୍ତର ଖର୍ଚ୍ଚକୁ ନେଇ ତାରା ବାହିନୀପତି ପ୍ରଶ୍ନ କରିଥିବା ବେଳେ ଏହା ନିୟମ ବିରୋଧ କହି ତାଙ୍କ ଇସ୍ତଫା ମାଗିଥିଲେ ଇନ୍ଧିରା ନନ୍ଦ ।

ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । କେଉଁଠି ପୁଅ ପାଇଁ ବାପା ଗାଦି ଛାଡ଼ୁଛି ତ କେଉଁଠି ସ୍ୱାମୀଙ୍କ ସ୍ଥାନରେ ସ୍ତ୍ରୀ ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିରେ ଜୟପୁର ରାଜନୀତିରେ ବିଜେଡ଼ିର ପରିବର୍ତ୍ତନକୁ କର୍ମୀ ଓ ଜନତା କେତେ ଦୂର ଗ୍ରହଣ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।