ଜୟପୁରରେ ଜବରଦସ୍ତ ଲଢେଇ! ପୁଣିଥରେ ଚମକିବେ କି ‘ତାରା’ ନା ୫ ବର୍ଷ ପରେ ଉଦୟ ହେବେ ‘ରବି’ । ପଦ୍ମ ପ୍ରତୀକ୍ଷାର ଏଥର ହେବ କି ଅନ୍ତ? 

614

କନକ ବ୍ୟୁରୋ : ରାଜ୍ୟ ରାଜନୀତିର ଦୁଇ ହେଭିୱେଟ ନେତାଙ୍କ ଲଢେଇକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛି କୋରାପୁଟର ଜୟପୁର ବିଧାନସଭା ଆସନ । ଆଉ ଏସବୁ ଭିତରେ ୨୦୧୯ ନିର୍ବାଚନରେ ପୁଣିଥରେ ତାରା ଚମକିବେ ନା ୫ ବର୍ଷ ପରେ ପୁଣିଥରେ ଉଦୟ ହେବେ ରବି ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଜୟପୁରରେ ପ୍ରଥମ ଥର ପାଇଁ ପଦ୍ମ ଫୁଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି । ଏଭଳି ଆଲୋଚନାକୁ ନେଇ ଉଷ୍ମ ହୋଇଛି ଜୟପୁର ରାଜନୀତି । ଅବିଭକ୍ତ କୋରାପୁଟ ଜିଲ୍ଲାର ଏକମାତ୍ର ଅଣ ସଂରକ୍ଷିତ ଆସନ ସବୁ ଦଳ ଓ ନେତାଙ୍କ ଫୋକସରେ ରହିଥିଲାବେଳେ ଭୋଟରଙ୍କ ମନ କିଣିବା ପାଇଁ ଏବେଠାରୁ କସରତ ଆରମ୍ଭ କରିଦେଲେଣି ନେତା।

ଜୟପୁର ବିଧାନସଭା ଆସନ ଗଠନ ହେବା ପରଠାରୁ ଏଠାରେ ୧୫ ଥର ନିର୍ବାଚନ ହୋଇଛି । ଯେଉଁଥିରେ କଂଗ୍ରେସ ସର୍ବାଧିକ ୮ ଥର ଜୟପୁର ଆସନକୁ ହାତେଇଛି । ୧୯୭୪ ମସିହାରୁ ଲଗାତାର ଜିତି ଆସୁଥିବା କଂଗ୍ରେସର ବିଜୟରଥରେ ପ୍ରଥମଥର ପାଇଁ ୨୦୦୦ ମସିହାରେ ବ୍ରେକ ଲଗାଇଥିଲା ବିଜେଡି । ଆଉ ଏହାସହ ୨୦୦୦,୨୦୦୪ ଓ ୨୦୦୯ରେ ନିର୍ବାଚନ ଜିତିବା ସହ ହ୍ୟାଟ୍ରିକ ବିଜୟ ହାସଲ କରିଥିଲେ ରବି ନାରାୟଣ ନନ୍ଦ । ଯାହାର ଫଳ ସ୍ୱରୂପ ତାଙ୍କୁ ଗତ ସରକାରରେ ମଧ୍ୟ ମନ୍ତ୍ରୀପଦ ମିଳିଥିଲା ।

୨୦୦୯ ନିର୍ବାଚନରେ ବିଜେପି ଟିକେଟରେ ଲଢିଥିବା ତାରା ପ୍ରସାଦ ବାହିନୀପତିଙ୍କୁ ପାଖାପାଖି ୧୦ହଜାର ଭୋଟରେ ହରାଇଥିଲେ ରବି । ଯାହାର ବଦଲା ୨୦୧୪ରେ କଂଗ୍ରେସ ଟିକେଟରେ ଲଢି ନେଇଥିଲେ ତାରା । ଆଉ ଏହାସହ ରବିଙ୍କ ଗଡରେ ଚମକି ଉଠିଥିଲେ ତାରା । ପୁଣିଥରେ ଏହି ଆସନରେ କମବ୍ୟାକ୍ କରିଥିଲା କଂଗ୍ରେସ । ଆଉ ଏସବୁ ଭିତରେ ଆଗାମୀ ନିର୍ବାଚନରେ ତାରା ପୁଣିଥରେ ନିର୍ବାଚନ ଳଢିବା ଏକପ୍ରକାର ନିଶ୍ଚିତ ହୋଇ ସାରିଛି ।

ଅନ୍ୟପଟେ ତାରାଙ୍କ ବିରୋଧରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ସସପେନ୍ସରେ ରଖିଛି ଦଳ । ତେବେ ତାରାଙ୍କୁ ଚମକକୁ ଫିକା କରିବାକୁ ରବିଙ୍କ ତେଜକୁ ବିଜେଡି ଭରସା କରିବ ବୋଲି ଚର୍ଚ୍ଚା ହେଉଛି । ଆଉ ଯଦି ଏଭଳି ହୁଏ, ତେବେ ପୁରୁଣା ପ୍ରସଙ୍ଗକୁ ନେଇ ପୁରୁଣା ମଇଦାନରେ ଦୁଇ ପୁରୁଣା ନେତା ନୂଆ ଲଢେଇରେ ପରସ୍ପରକୁ ସାମନା କରିବେ। ଏହା ବେଶ ରୋଚକ ହେବ ବୋଲି ଅନୁମାନ କରାଯାଉଛି। ଦୁଇ ଭେଟେରାନ ନେତା ଏ ଭିତରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ବାହିନୀପତି ଯୁବ ଭୋଟରଙ୍କୁ ଟାର୍ଗେଟ କରିଥିଲାବେଳେ ରବି ନନ୍ଦ ବୟସ୍କ ଲୋକଙ୍କ ସମର୍ଥନ ହାତେଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏପରିକି ସେ ବୟସ୍କ ଲୋକଙ୍କୁ ମୁଣ୍ଡିଆ ମାରିବା ସହ ବୁଲି ବୁଲି ଆଶୀର୍ବାଦ ମାଗୁଛନ୍ତି।

ତେବେ ବିଜେଡିର ଏକାଧିକ ଆଶାୟୀ କାରଣରୁ ରବି ନନ୍ଦଙ୍କ ମୁଣ୍ଡବ୍ୟଥା ବଢିଯାଇଛି। ଜିଲ୍ଲା ବିଜେଡି ସଭାପତି ଇଶ୍ବର ପାଣିଗ୍ରାହୀ, ବରିଷ୍ଠ ନେତା ଗୁପ୍ତ ପ୍ରସାଦ ଦାଶ, ମହିଳା ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିନ୍ଦୁରାଣୀ ମିଶ୍ର ଏହି ଆସନ ପାଇଁ ଟିକେଟ ଦୌଡରେ ରହିଛନ୍ତି। ଏମାନେ ରବିଙ୍କ ରାସ୍ତାରେ କଣ୍ଟା ସାଜିବାର ଆଶଙ୍କା ରହିଛି। ଅନ୍ୟପଟେ ତାରାଙ୍କ ପାଇଁ ମଧ୍ୟ ଏଥର ଯାତ୍ରା ସହଜ ହେବନି। ତାଙ୍କ ୫ ବର୍ଷର କାର୍ଯ୍ୟକଳାପ ଉପରେ ଭୋଟର ନଜର ରଖିଥିଲାବେଳେ କଂଗ୍ରେସର କିଛି ନେତା ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି। ପୁଣି କୃଷ୍ଣ ସଗରିଆ ଜୟପୁରରୁ ଲଢିବେ ବୋଲି ସଙ୍କେତ ଦେଇଥିବାରୁ ଏହା ବାହିନୀପତିଙ୍କ ପାଇଁ ଅଡୁଆ ହୋଇପାରେ।

ଏପଟେ ବିଜେପି ମଧ୍ୟ ଏହି ଆସନ ଉପରେ ନଜର ରଖିଛି। ବିଜେଡି ଓ କଂଗ୍ରେସ ଲଢେଇରୁ ଫାଇଦା ନେଇ ଦଳ ଆଗକୁ ବଢିବାକୁ ଯୋଜନା କରିଛି। ତେବେ କାହାକୁ ପ୍ରାର୍ଥୀ କରାଯିବ ତାହା ଚୂଡାନ୍ତ ହୋଇନି। ପୂର୍ବଥର ପରି ଭୃଗୁ ବକ୍ସିପାତ୍ରଙ୍କ ନାମ ଚର୍ଚ୍ଚା ହେଉଛି। ହେଲେ ଅନୁପ ପାତ୍ର, ଅକ୍ଷୟ ସାହୁ, ଦେବେନ୍ଦ୍ର ବାହିନୀପତି, ବିଜି ରାୟ ଜେନାଦେଓ ଦୌଡରେ ଅଛନ୍ତି। ଯୁବ ନେତା ଗୌତମ ସାମନ୍ତରାୟ ମଧ୍ୟ ବୁଲି ବୁଲି ନିଜ ସଂଗଠନ ସଜାଡୁଛନ୍ତି। ପୁଣି ଟିଡିପି ଏଠାରେ ପ୍ରାର୍ଥୀ ଦେବ ବୋଲି କହିବା ପରେ ଏହା ସମୀକରଣକୁ ଓଲଟପାଲଟ କରିଦେବାର ଆଶଙ୍କା ରହିଛି। ଏସବୁକୁ ଦେଖିଲେ ଆସନ୍ତା ନିର୍ବାଚନରେ ଜୟପୁର ମୈଦାନରେ ଖେଳ ଜମିବ ବୋଲି ଚର୍ଚ୍ଚା ହେଉଛି ।