ଉଦାହରଣ ସୃଷ୍ଟି କଲେ ଜୟପୁର ମେୟର । ପ୍ରସବର କିଛି ସମୟ ପୂର୍ବରୁ ଅଫିସ ଆସି କଲେ କାମ, କର୍ମ ହିଁ ପୂଜା ଲେଖି ସୋସିଆଲ ମିଡ଼ିଆରେ ଜିଣିଲେ ସମସ୍ତଙ୍କ ମନ ।

ଉଦାହରଣ ସୃଷ୍ଟି କଲେ ଜୟପୁର ମେୟର । ପ୍ରସବର କିଛି ସମୟ ପୂର୍ବରୁ ଅଫିସ ଆସି କଲେ କାମ, କର୍ମ ହିଁ ପୂଜା ଲେଖି ସୋସିଆଲ ମିଡ଼ିଆରେ ଜିଣିଲେ ସମସ୍ତଙ୍କ ମନ ।

କନକ ବ୍ୟୁରୋ :  ଜୟପୁରର ମେୟର ମହିଳାମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଜୟପୁର ନଗର ନିଗମର ମେୟର ସୌମ୍ୟା ଗୁର୍ଜର ଗୁରୁବାର ପୁତ୍ର ସନ୍ତାନର ମା’ ହୋଇଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରସବ କରିବାର କିଛି ଘଣ୍ଟା ପୂର୍ବରୁ ସେ ସବୁଦିନ ଭଳି ଅଫିସ ଆସି କାମ କରିଥିଲେ । ସାଧାରଣତଃ ଗର୍ଭବତୀ ମହିଳା ମାନେ ପ୍ରସବ ସମୟ ପାଖେଇ ଆସିଲେ ଛୁଟିରେ ରହିଥାନ୍ତି କିନ୍ତୁ ସୌମ୍ୟାଙ୍କ କ୍ଷେତ୍ରରେ ଏଭଳି ଦେଖିବାକୁ ମିଳିନଥିଲା । ବରଂ କର୍ମକୁ ପ୍ରାଥମିକତା ଦେଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୌମ୍ୟା । ଗୁରୁବାର ସକାଳ  ୫.୧୪ରେ ଶିଶୁକୁ ଜନ୍ମ ଦେବା ପୂର୍ବରୁ ସେ  ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଫିସ କାମ କରିଥିଲେ ।

ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଟ୍ୱିଟ୍ କରି ସୌମ୍ୟା କହିଛନ୍ତି,  ‘କର୍ମ ହଁ ପୂଜା’! ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଗମ କାର୍ଯ୍ୟାଳୟରେ ବୈଠକ କରୁଥିଲି। ପ୍ରସବ ପୀଡ଼ା ଆରମ୍ଭ ହେବା ପରେ ୧୨.୩୦ରେ କୁକୁନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି ଏବଂ ସକାଳ ୫.୧୪ ରେ ଭଗବାନଙ୍କ ଆର୍ଶୀବାଦରୁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲି। ମୁଁ ଏବଂ ଶିଶୁ ଉଭୟ ସୁସ୍ଥ ଅଛୁ।”

ସୌମ୍ୟାଙ୍କ ଏହି ପୋଷ୍ଟକୁ ୧୧ ହଜାରରୁ ଅଧିକ ଲାଇକ୍ ମିଳିଥିବା ବେ‌ଳେ ଲୋକମାନେ ସୌମ୍ୟାଙ୍କୁ ନିରନ୍ତର ଅଭିନନ୍ଦନ ଜଣାଉଛନ୍ତି।ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସୌମ୍ୟା ଗୁର୍ଜର ଘରକୁ ଯିବା ପୂର୍ବରୁ ବୁଧବାର ରାତି ୯ ଟା ପର୍ଯ୍ୟନ୍ତ କାମ କରିଥିଲେ। ସକାଳ ୫.୧୪ରେ ଏକ ସୁସ୍ଥ ଶିଶୁକୁ ଜନ୍ମଦେବା ପରେ ସେ ସକାଳ ୭.୪୦ରେ ଟ୍ୱିଟରରେ ଏହି ଖବର ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe