ଭବାନିପାଟଣା ଅଧୀନକୁ ଯିବ ଜୟପୁର ଆକାଶ ବାଣୀ । ଚିନ୍ତାରେ ସ୍ଥାନୀୟ କଳାକାର ।

151

କନକ ବ୍ୟୁରୋ : କ୍ଳଷ୍ଟର ମାନ୍ୟତାରେ ଭବାନିପାଟଣା ଆକାଶ ବାଣୀ କେନ୍ଦ୍ର । ଅସ୍ଥିତ୍ୱ ହରାଇବ ଜୟପୁର ଆକାଶ ବାଣୀ । ପୁରୁଣା ହୋଇ ଜୟପୁର ଆକାଶବାଣୀ ଯିବ ଭବାନିପାଟଣା ଅଧୀନକୁ । ଚିନ୍ତାରେ ଆଦିବାସୀ ଅଞ୍ଚଳର କଳାକାର । ପଛୁଆ ଅଞ୍ଚଳର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ହେଉ କି କୋରାପୁଟ କଳାକାରଙ୍କୁ ଜାତୀୟ ସ୍ଥରରେ ପରିଚୟ ଦେବାରେ, ଜୟପୁର ଆକାଶବାଣୀ ଏକ ପ୍ରମୁଖ ଭୁମିକା ନିଭାଇ ଆସିଛି । ଜିଲ୍ଳାକୁ ଏକ ପରିଚୟ ଦେଇଛି ।

ଅବିଭକ୍ତ କୋରାପୁଟ ଜିଲ୍ଳା ସମେତ ଗଜପତି ଜିଲ୍ଳାର ଶ୍ରୋତାଙ୍କ ପାଇଁ ୧୯୬୪ ମସିହାରୁ ଅନବରତ ମନୋରଞନର ମାଧ୍ୟମ ହୋଇଆସିଛି । ଏବେ ଏହି ଆକାଶବାଣୀର ସ୍ୱାଧୀନତା ଓ ସ୍ୱତନ୍ତ୍ରତା ଉପରେ ବ୍ରେକ୍ ଲାଗିବାକୁ ଯାଉଛି । ଭବାନିପାଟଣା ଆକାଶବାଣୀ ଅଧୀନରେ ରହିବ ଏହି ପୁରୁଣା ତଥା ରାଜ୍ୟର ତୃତୀୟ ସ୍ଥାନ ଅଧିକାର କରିଥିବା ଜୟପୁର ଆକାଶ ବାଣୀ । ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ କଳାକାର ।

ଜାତୀୟ ଓ ଆର୍ନ୍ତଜାତୀୟ ସ୍ଥରରେ ଅବିଭକ୍ତ କୋରାପୁଟର କଳା ସସ୍କୃତିକୁ ନେଇ ଅନେକ ପୁରସ୍କାର ପାଇଛି ଜୟପୁର ଆକାଶବାଣୀ । କରୋନା କାଳରେ ଅନେକ ସଚେତନତା ବାର୍ତ୍ତା ପହଞ୍ଚାଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା ସାଉଣ୍ଟିଥିଲା । ପ୍ରଧାନମନ୍ତ୍ରୀ ଦେଶର ୨୧୫ ଜିଲ୍ଳାକୁ ବିକଶିତ କରିବାର ଯେଉଁ ଲକ୍ଷ ରଖିଛନ୍ତି ସେହି ଲିଷ୍ଟରେ କୋରାପୁଟ ଜିଲ୍ଲା ରହିଛି । ହେଲେ କେନ୍ଦ୍ରର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ନିରାଶ କରିଛି ।

ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ତେଜୁଛି ବିରୋଧର ସ୍ୱର । କେନ୍ଦ୍ର ସରକାର କୋରାପୁଟକୁ ଅବହେଳା କରୁଛନ୍ତି ଓ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ସେହିପରି ଏହି ପ୍ରସଙ୍ଗକୁ ସଂସଦରେ ଉଠାଇବେ ବୋଲି କହିଛନ୍ତି କୋରାପୁଟ ସାଂସଦ । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ରେଡ଼ିଓରେ ମନ କି ବାତ୍ କହି ପଛୁଆ ଜିଲ୍ଳାର ବିକାଶର କଥା କହୁଛନ୍ତି । ଅନ୍ୟପଟେ ପଛୁଆ ଅଞ୍ଚଳର ବିକାଶରେ ବାଧା ସୃଷ୍ଟି କରିବା ଭଳି ଏଭଳି ପଦକ୍ଷେପ ସରକାରଙ୍କ ଆଭିମୁଖ୍ୟକୁ ନେଇ ସନ୍ଦେହରେ ପକାଇଛି ।