ସତ ହେବ ସ୍ୱପ୍ନ… ଖୁବଶୀଘ୍ର ବଜାରକୁ ଆସୁଛି ଉଡନ୍ତା ବାଇକ୍ ! ଜାଣନ୍ତୁ ଏହି ବାଇକ୍ ବିଷୟରେ ପୂରା ତଥ୍ୟ

216

କନକ ବ୍ୟୁରୋ : ସତ ହେବ ସ୍ୱପ୍ନ, କେବଳ କଳ୍ପନାରେ ନୁହେଁ… ଏବେ ସତରେ ଉଡନ୍ତା ବାଇକ୍ ଏବଂ କାର ଚଲାଇବେ ଲୋକେ । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, କିନ୍ତୁ ବାସ୍ତବରେ ‘ଜେଟପ୍ୟାକ୍ ଆଭିଏସନ୍’ ନାମକ ଏକ କମ୍ପାନୀ ଉଡନ୍ତା ଗାଡି ଉପରେ କାମ କରିବା ଆରମ୍ଭ କରିଦେଇଛି ।
ଆଜିକାଲି ଯୁବପିଢୀଙ୍କ ସ୍ୱପ୍ନ ରହିଛି ଭଲ ବାଇକ୍ କିମ୍ବା ଭଲ କାରଟିଏ ଚଲାଇବା । ବଜାରକୁ ଯେତେ ଉନ୍ନତ ଧରଣର ବାଇକ୍ ଆସୁଛି ଲୋକଙ୍କ ଆଶା ସେତେ ବଢୁଛି । ଖାସକରି ଯୁବପିଢୀ ମାନେ ସୁପର ବାଇକକୁ ବେଶ୍ ପସନ୍ଦ କରୁଛନ୍ତି । ପବନ ବେଗଠୁ ଅଧିକ ବେଗରେ ଧାଉଁଥିବା ଗାଡି ଧରି ଦେଶ ଭ୍ରମଣ କରୁଛନ୍ତି । ସୁଜୁକି ହାୟାଭୁସା କଥା କୁହାଯାଉ କି କାୱାସାକି ନିଞ୍ଜା ଏଚ୍-ଟୁ-ଆର୍ କଥା କୁହାଯାଉ ଏହି ବାଇକଗୁଡିକ ଯୁବପିଢୀ ମହଲରେ ବେଶ୍ ଆଦୃତ ହୋଇପାରିଛି । ତଥାବି ଏତିକିରେ ଲୋକେ ସନ୍ତୁଷ୍ଟ ନାହାନ୍ତି, ପବନ ବେଗରେ ଗତି କରୁଥିବା ଏହି ସୁପର ବାଇକ୍ ପରେ ଏବେ ବଜାରକୁ ଆସିବାକୁ ଯାଉଛି ଉଡନ୍ତା ବାଇକ୍ ।
ଜେଟପ୍ୟାକ୍ ଆଭିଏସନ୍ ନିର୍ମାଣ କରିବାକୁ ଯାଉଥିବା ବାଇକର ନାଁ ‘ଦ ସ୍ପିଡର’ ରଖାଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଫ୍ଲାଇଟ୍-କଣ୍ଟ୍ରୋଲ୍ ସପ୍ଟୱେର୍ ପ୍ରୋଗ୍ରାମ କରାଯାଇଛି । ଜେଟପ୍ୟାକ୍ ଆଭିଏସନ୍ ମୁତାବକ, ଗତ ଦେଢ ବର୍ଷ ମଧ୍ୟରେ ଏପରି ଏକ ସିଷ୍ଟମ ତିଆରି କରାଯାଇଛି, ଯାହାକି ପବନରେ ବାଇକକୁ ସନ୍ତୁଳନକରି ରଖିବାରେ ସକ୍ଷମ ହେବ । ଏହା ସହିତ ବାଇକକୁ ଉଡିବାକେ ସହାୟକ ହେବ ।
ସବୁଠୁ ବଡ କଥା ହେଉଛି ଏହି ବାଇକ୍ ସିଧା ଟେକ୍-ଅପ୍ ଏବଂ ଲ୍ୟାଣ୍ଡିଂ କରିପାରିବ । ଯେପରିକି ଡ୍ରୋନ ସିଧାସଳଖ ଭାବେ ଟେକ୍-ଅପ୍ ଏବଂ ଲ୍ୟାଣ୍ଡିଂ କରେ ସେହିଭଳି ଏହି ବାଇକ୍ ମଧ୍ୟ ସିଧାସଳଖଭାବେ ଟେକ୍-ଅପ୍ ଏବଂ ଲ୍ୟାଣ୍ଡିଂ କରିପାରିବ ।
କମ୍ପାନିର ସିଇଓ ଡେବିଡ୍ ମେମନଙ୍କ କହିବା ଅନୁସାରେ, ଏହି ବାଇକର ଏକ ଅଲ୍ଟ୍ରାଲାଇଟ୍ ଭରଜନ୍ ଆସନ୍ତା ଦୁଇବର୍ଷ ମଧ୍ୟରେ ପ୍ରସ୍ତୁତ ହୋଇଯିବ । ଏହି ଅଲ୍ଟ୍ରାଲାଇଟ୍ ଭରଜନର ଗତି ଘଣ୍ଟାପ୍ରତି ୬୦ମାଇଲ୍ସ ରହିବ । ଏବଂ ଏହାର ଉଡିବା କ୍ଷମତା ୧୫ ମିନିଟ୍ ରହିବ । ଏହାକୁ ଚଲାଇବା ପାଇଁ ପାଇଲଟକୁ କୌଣସି ଲାଇସେନ୍ସର ଆବଶ୍ୟକତା ପଡିବ ନାହିଁ । ସେହିଭଳି ଏହି ବାଇକର ଆଉ ଦୁଇଟି ଭରଜନ୍ ବାହାରିବ । ଗୋଟିଏ ହେଉଛି ଏକ୍ସପିରିମେଣ୍ଟାଲା ବରଜନ, ଏବଂ ଅନ୍ୟଟି ଫାଇନାଲ ବର୍ଜନ୍ । ଏକ୍ସପିରିମେଣ୍ଟାଲା ବରଜନର ଘଣ୍ଟାପ୍ରତି ବେଗ ୨୫୦ ମାଇଲ୍ ରହିବ ଏବଂ ଉଡିବା କ୍ଷମତା ୩୫ମିନିଟ୍ ରହିବ । ସେହିଭଳି ଫାଇନାଲ ବର୍ଜନରେ ୮ଟି ଟର୍ବାଇନ୍ ରହିବ, ବାଇକ୍ ୨୭୨ କିଲୋର ଓଜନକୁ ଉଠାଇ ଉଡିବାରେ ସକ୍ଷମ ହେବ । କେବଳ ଏତିକି ନୁହେଁ ଏଥିରେ ୧୨ଇଂଚର ନାଭିଗେସନ୍ ସ୍କ୍ରିନ୍, ରେଡିଓ ସିଗନାଲ୍ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର ହେବ । ଏବେ ଯାଏଁ ଏହି ଭର୍ଜନର ଟେଷ୍ଟିଂ ହୋଇନାହିଁ । ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ରେ ଏହି ଭର୍ଜନର ଟେଷ୍ଟିଂ ଆରମ୍ଭ ହେବ ।