କନକ ବ୍ୟୁରୋ: ମଣିଷର ଜୀବନରେ କେତେବେଳେ କେଉଁ ସ୍ଥିତି ଆସିବ କିଏ ବା କହିବ । କେବେ ପ୍ରାଚୂର୍ଯ୍ୟ ଭିତରେ ବଞ୍ଚୁଥିବା ବ୍ୟକ୍ତିଟିକୁ ପ୍ରତିଟି ମୂହୂର୍ତ୍ତ ବି କଣ୍ଟା ଭଳି ବିଦ୍ଧ କରେ, ଯନ୍ତ୍ରଣା ଦିଏ । ସେ ବଞ୍ଚିବା ଅପେକ୍ଷା ସବୁ ସମୟରେ ମୃତ୍ୟୁକୁ ଖୋଜେ । ଏମିତି କିଛି ଏବେ ଘଟୁଛି ଏୟାର ୱେଜ୍ ମାଲିକ ନରେଶ ଗୋୟଲଙ୍କ ଜୀବନରେ ।

Advertisment

କାନାଡା ବ୍ୟାଙ୍କ ଦ୍ୱାରା ମନି ଲଣ୍ଡ୍ରିଂ ମାମଲା ଦାଏର ହେବା ପରେ ଇଡି ଦ୍ୱାରା ଗିରଫ ହୋଇ ଏବେ ଜେଲରେ କଟୁଛିି ନରେଶ ଗୋୟଲଙ୍କ ଜୀବନ । ସେପଟେ ତାଙ୍କ ପତ୍ନୀ ଅନୀତା ଗୋୟଲ ମଧ୍ୟ କ୍ୟାନ୍ସରର ଆଡଭାନ୍ସ ଷ୍ଟେଜରେ ଛଟପଟ ହେଉଛନ୍ତି । ଗୋଟିଏ ବୋଲି ଝିଅ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ଏଭଳି ସମୟରେ ନରେଶ ଗୋୟଲ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ଦିନ କାଟୁଛନ୍ତି । । ତାଙ୍କର ଜାମିନ୍ ଆବେଦନର ଶୁଣାଣି ହେବାକୁ ଥିବାବେଳେ ସେ ନିଜେ କୋର୍ଟରେ ଉପସ୍ଥିତ ହୋଇ ନିଜର ସମସ୍ୟା ପ୍ରକାଶ କରିଥିଲେ ଏବଂ ବିଚାରପତିଙ୍କୁ ଅନୁନୟ ହୋଇ କହିବା ବେଳେ ତାଙ୍କର ଆଖି ଛଳଛଳ ହୋଇଯାଇଥିଲା ।

ନରେଶ ଗୋୟଲଙ୍କର ଏକାଧିକ ଶାରୀରିକ ସମସ୍ୟା ରହିଛି । ଏପରିକି ସେ ଏତେ ଦୁର୍ବଳ ହୋଇଯାଇଛନ୍ତି ଛିଡା ହେବାକୁ ମଧ୍ୟ ତାଙ୍କର ବଳ ପାଉନାହିଁ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେଉଥିବାବେଳେ ତାଙ୍କୁ ଜେଜେ ହସ୍ପିଟାଲ ପଠାଯାଉଛି ସତ କିନ୍ତୁ ସେଠାରେ ସେ ଦୀର୍ଘ ସମୟ ଧରି ଲାଇନରେ ଛିଡା ହେବାକୁ ଅସମର୍ଥ ତେଣୁ ଏହା ଅପେକ୍ଷା ବରଂ ତାଙ୍କୁ ଜେଲରେ ଛାଡିଦିଆଯାଉ । ‘ତାଙ୍କ ଜୀବନରେ ସବୁ ଆଶା ଶେଷ ହୋଇଯାଇଛି । ଏଭଳି ଜୀବନ ବଞ୍ଚିବା ଅପେକ୍ଷା ବରଂ ତାଙ୍କୁ ଜେଲରେ ମରିଯିବାକୁ ଦିଆଯାଉ’, ବିଚାରପତିଙ୍କ ଆଗରେ ହାତ ଯୋଡି ଏଭଳି କହିଥିଲେ ନରେଶ ଗୋୟଲ । ତାଙ୍କର ଏଭଳି ଭାବାବେଗକୁ ଅନୁଧ୍ୟାନ କରିବା ପରେ ତାଙ୍କର ଉପଯୁକ୍ତ ଚିକିତ୍ସା ସହ ତାଙ୍କର ମାନସିକ ସ୍ଥିତିକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ବିଚାରପତି ।

ସୂଚନା ମୁତାବକ, ନରେଶ ଗୋୟଲ କାନାଡା ବ୍ୟାଙ୍କରୁ ୮୪୮.୮୪ କୋଟି ଲୋନ୍ ନେଇଥିବାବେଳେ ଏଯାଏଁ ୫୩୮.୬୨ କୋଟି ଟଙ୍କା ଫେରାଇ ନଥିଲେ । ଏହି ଆଧାରରେ କାନାଡା ବ୍ୟାଙ୍କ ମାମଲା ଦାଏର କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଯାଞ୍ଚ କରି ନରେଶ ଗୋୟଲଙ୍କୁ ଗିରଫ କରିଥିଲା ।