କନକ ବ୍ୟୁରୋ: କଟକ ବାଙ୍କୀ ଅଂଚଳରେ ଗୋଈ ଚରାଉଥିବା ଏହି ଚାଷୀ ଜଣକ, ୨୦ ବର୍ଷ ହେଲାଣି ଗୋପାଳନ କରି ଆସୁଛନ୍ତି । ଦିନ ଥିଲା ତାଙ୍କ ପାଖରେ ୮ରୁ ୧୦ଟି ଦେଶୀ ଗାଈ ଥିଲେ । ହେଲେ ଖର୍ଚ୍ଚ ତୁଳନାରେ ଆୟ ଯୋଗୁଁ କମ ହେବା ଯୋଗୁଁ ଏବେ ଦେଶୀ ଗାଈ ବଦଳରେ ଜର୍ସି ଗାଈ ରଖୁଛନ୍ତି । କାରଣ, ଗାଈଙ୍କୁ ଆବଶ୍ୟକ ହେଉଥିବା ଖାଦ୍ୟ ଓ ଚରିବା ପାଇଁ ଉପଯୁକ୍ତ ପଡ଼ିଆର ଅଭାବ ଯୋଗୁଁ, ଦେଶୀ ବଦଳରେ ଜର୍ସି ଗାଈ ରଖିବାକୁ ନିଷ୍ପତି ହେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ବାଙ୍କୀ ଉପଖଣ୍ଡର କରଦର, ଗୋପାଳପୁର, ବୈଦେଶ୍ୱର, କଢ଼ାମଲ୍ଲ, ରଜିବ ଭଳି ଗାଁ ଚାଷୀମାନେ ବର୍ଷ ବର୍ଷ ଧରି ଦେଶୀ ଗାଈ ରଖି ଆସୁଥିଲେ । ହେଲେ ଏବେ ଦେଶୀ ଗାଈଙ୍କ ସଂଖ୍ୟା କମିବାରେ ଲାଗିଛି । ଚାଷୀଙ୍କ କହିବା ଅନୁସାରେ, ୮ଟି ଦେଶୀ ଗାଈ ଯେତିକି କ୍ଷୀର ଦେଉଛନ୍ତି, ମାତ୍ର ଗୋଟିଏ କିମ୍ବା ୨ଟି ଜର୍ସି ଗାଈ ସେହି ପରିମାଣର କ୍ଷୀର ଦେଉଛନ୍ତି । ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ମଧ୍ୟ ସମାନ ଢ଼ଙ୍ଗରେ ଏହି କଥା କହିଛନ୍ତି । ତେବେ ଦେଶୀ ଗାଈ ଓ ଜର୍ସି ଗାଈଙ୍କ ମଧ୍ୟରେ ପ୍ରଜନନ ପ୍ରକିୟା ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି ।
ଏହି କାହାଣୀ କେବଳ କଟକ ଜିଲ୍ଲାରେ ସୀମିତ ନୁହେଁ ବରଂ ପୁରୀ ଜିଲ୍ଲାରୁ ବି ଆସିଛି ସମାନ କାହାଣୀ । ପୁରୀ ଜିଲ୍ଲା ପ୍ରାଣୀ ସମ୍ପଦ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ- ୨୦୧୨ ଗାଈ ଗଣନା ଅନୁସାରେ ଜିଲ୍ଲାରେ ୪ ଲକ୍ଷ ୪୩ ହଜାର ୯୭୩ ଦେଶୀ ଗାଈ ଗୋରୁ ଥିଲେ । ଏହାର ଠିକ୍ ୫ ବର୍ଷ ପରେ ହୋଇଥିବା ଗଣନା ଅନୁସାରେ ଏହି ସଂଖ୍ୟା ୩ ଲକ୍ଷ ୬୭ ହଜାର ୧୮୩କୁ ଖସି ଆସିଥିଲା । ଆଗକୁ ହେବାକୁ ଥିବା ଗଣନାରେ ଏହି ସଂଖ୍ୟା ୨ ଲକ୍ଷକୁ ଖସି ଆସିପାରେ ବୋଲି ଆକଳନ କରାଯାଉଛି ।