କନକ ବ୍ୟୁରୋ : ଜେଇଇ ମେନ୍ ୨୦୨୧ ପାଇଁ ପରୀକ୍ଷା ତାରିଖ ଘୋଷଣା । ଜୁଲାଇରୁ ଅଗଷ୍ଟ ଭିତରେ ପରୀକ୍ଷା କରିବାକୁ ଘୋଷଣା କରିଛନ୍ତିି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ସେ କହିଛନ୍ତିି, ଜୁଲାଇ ୨୦ରୁ ୨୫ ମଧ୍ୟରେ ଜେଇଇ ମେନ୍-୩ ଓ ଜୁଲାଇ ୨୭ରୁ ଅଗଷ୍ଟ ୨ ମଧ୍ୟରେ ଜେଇଇ ମେନ୍-୪ ଅନୁଷ୍ଠିତ ହେବ। ଦେଶର କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଏଭଳି ପଦକ୍ଷେପ ନେଇଛି। ଅନେକ ଛାତ୍ରଛାତ୍ରୀ ଜେଇଇ-ମେନ୍ ପାଇଁ ଆବେଦନ କରିପାରି ନଥିଲେ ।
ତେଣୁ ସେମାନଙ୍କ ଭବିଷ୍ୟତକୁ ନଜରରେ ରଖି ପୁଣିଥରେ ଆବେଦନ ପ୍ରକ୍ରିୟା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଜେଇଇ ମେନ୍-୩ରେ ଭାଗ ନେବାକୁ ଥିବା ଆଶାୟୀ ଜୁଲାଇ ୬ରୁ ୮ ଏବଂ ଜେଇଇ ମେନ୍-୪ ପାଇଁ ଆଗ୍ରହୀ ପିଲାମାନେ ଜୁଲାଇ ୯ରୁ ୧୨ମଧ୍ୟରେ ଆବେଦନ କରିପାରିବେ। ତେବେ ଜେଇଇ ମେନ୍-୩ର ପେପର୍-୨ ତଥା ବି.ଆର୍କିଟେକ୍ ଓ ବି.ପ୍ଲାନିଂ ଲାଗି ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ ନାହିଁ। ସେମାନେ କେବଳ ଜେଇଇ ମେନ୍-୪ ଲାଗି ଆବେଦନ କରିପାରିବେ।
ଜେଇଇ ମେନ୍-୩ରେ ୬ ଲକ୍ଷ ୮୦ ହଜାର ଓ ଜେଇଇ ମେନ୍-୪ରେ ୬ ଲକ୍ଷ ୯ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଆଡମିଟ୍ କାର୍ଡ ଓ ପରୀକ୍ଷାଫଳ ପ୍ରକାଶ ସମ୍ପର୍କରେ ଜେଇଇ ମେନ୍ ପୋର୍ଟାଲରେ ଜଣାଇ ଦିଆଯିବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ, ସେମାନେ ଏହି ସମୟସୀମା ମଧ୍ୟରେ ସେସନ୍, କାଟାଗୋରି, ବିଷୟ ଆଦିରେ ପରିବର୍ତ୍ତନ କରିପାରିବେ। ପରୀକ୍ଷାର୍ଥୀ ଏନ୍ଟିଏ ୱେବସାଇଟ୍ www.nta.ac.in ଓ jeemain.nta.nic.inରୁ ଅଧିକ ତଥ୍ୟ ପାଇପାରିବେ ।
କରୋନା ସଂକ୍ରମଣକୁ ନଜରରେ ରଖି ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ଦେଶର ୩୩୪ଟି ସହରରେ ୮୨୮ଟି ପରୀକ୍ଷା କେନ୍ଦ୍ର ହେବ। ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର କୋଭିଡ୍-୧୯ ଗାଇଡ୍ଲାଇନ୍ ପାଳନ କରାଯିବ। ଛାତ୍ରଛାତ୍ରୀ ସେମାନଙ୍କ ସହର ପରିବର୍ତ୍ତନ କରିପାରିବେ। ପରୀକ୍ଷା କେନ୍ଦ୍ରରେ ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ। ପରୀକ୍ଷା କେନ୍ଦ୍ର ଭଲ ଭାବେ ବିଶୋଧନ ହେବ। ଗୋଟିଏ ସିଫ୍ଟରେ ବ୍ୟବହୃତ କମ୍ପ୍ୟୁଟର୍ ଅନ୍ୟ ସିଫ୍ଟରେ ବ୍ୟବହାର କରାଯିବ ନାହିଁ। ପରୀକ୍ଷା କେନ୍ଦ୍ର ପ୍ରବେଶ ପଥରେ ଗହଳି ଏଡ଼ାଇବା ଲାଗି ପରୀକ୍ଷାର୍ଥୀଙ୍କୁ ରିପୋର୍ଟିଂ ଲାଗି ଟାଇମ୍ ସ୍ଲଟ ଯୋଗାଇ ଦିଆଯିବ।
ପଞ୍ଜୀକରଣ ସମୟରେ କେହି କାହାରିକୁ ସ୍ପର୍ଶ କରିବେ ନାହିଁ ଏବଂ ସାମାଜିକ ଦୂରତା ରକ୍ଷା କରିବେ। ପରୀକ୍ଷା କେନ୍ଦ୍ରର ଝରକା ଖୋଲା ରଖିବା ସହ ଫ୍ୟାନ୍ ଚାଲୁ ରହିବ। ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ମାସରେ ଜେଇଇ ମେନ୍-୩ ଓ ମେ’ ମାସରେ ଜେଇଇ ମେନ୍-୪ ହେବାର ଥିଲା । ତେବେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଏନ୍ଟିଏ ପକ୍ଷରୁ ଉକ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବାରୁ ପୁଣିଥରେ ପରୀକ୍ଷା କରାଯିବ।