ଜେଇଇ ମେନ୍‌ ପରୀକ୍ଷାରେ ରଖିଛନ୍ତି ୯୮.୪୨% ନମ୍ବର। ଅର୍ଥାଭାବରୁ ଉଚ୍ଚଶିକ୍ଷା ପାଇଁ ସାହାଯ୍ୟ ଖୋଜୁଛନ୍ତି ଚନ୍ଦନ।

197

କନକ ବ୍ୟୁରୋ: ତିଗିରିଆ ବ୍ଲକ ନୂଆପାଟଣା ପଞ୍ଚାୟତ ଗୁଇଁସାହି ବାସିନ୍ଦା ପ୍ରଦୀପ ଦତ୍ତଙ୍କ ବଡ଼ପୁଅ ଚନ୍ଦନ ଚଳିତବର୍ଷ ଜେଇଇ ମେନ୍‌ ପରୀକ୍ଷାରେ ୯୮.୪୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଗକୁ ସେ ଦେଶର କୌଣସି ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ପଢ଼ି ଜଣେ ସଫ୍ଟଓୟାର ଇଞ୍ଜିନିୟର ହେବାକୁ ଇଚ୍ଛା ରଖିଛନ୍ତି। ତେବେ, ଚନ୍ଦନଙ୍କ ଉଚ୍ଚଶିକ୍ଷାରେ ଅର୍ଥ ଏବେ ବଡ଼ ବାଧକ ସାଜିଛି। ଆଗକୁ ଯଦି ସରକାରୀ ଅଥବା ବେସରକାରୀ ସ୍ତରରେ ସହାୟତା ନ ମିଳେ ତେବେ ସେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ଗୁଇଁସାହିର ପ୍ରଦୀପ ଦତ୍ତ ଓ ଗୀତାଞ୍ଜଳି ଦତ୍ତଙ୍କ ଦୁଇପୁଅ ଓ ଗୋଟିଏ ଝିଅ ମଧ୍ୟରୁ ଚନ୍ଦନ ସବୁଠାରୁ ବଡ଼ । ବାପା ପ୍ରଦୀପ ତନ୍ତରେ ଲୁଗା ବୁଣି ପରିବାର ପ୍ରତିପୋଷଣ କରନ୍ତି । ଚନ୍ଦନ ଜଣେ ମେଧାବୀ ଛାତ୍ର ଭାବେ ମାଟ୍ରିକ ପରୀକ୍ଷାରେ ଶତକଡ଼ା ୮୬ ଭାଗ ଓ ଯୁକ୍ତଦୁଇରେ ଶତକଡ଼ା ୯୦ ଭାଗ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତବର୍ଷର ଜେଇଇ ମେନ୍‌ ପରୀକ୍ଷାରେ ଚନ୍ଦନ ଶତକଡ଼ା ୯୮.୪୨ ନମ୍ବର ରଖି ଅଞ୍ଚଳ ପାଇଁ ଗୌରବ ଆଣିବା ସହ ଜଣେ ସଫ୍ଟଓୟାର ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖିଛନ୍ତି। କିନ୍ତୁ ଏଥିପାଇଁ ପ୍ରାୟ ୮/୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଥିବା ବେଳେ ପୂର୍ବରୁ ପୁଅର ପାଠପଢା ପାଇଁ ନିଜର ଜମି ବିକ୍ରି କରିଥିବା ପ୍ରଦୀପ ଏତେ ଟଙ୍କା ଯୋଗାଇବାକୁ ଅସାମର୍ଥ୍ୟ ପ୍ରକାଶ କରିଛନ୍ତି। ଫଳରେ ଚନ୍ଦନଙ୍କ ଭଳି ମେଧାବୀ ଛାତ୍ରଙ୍କ ସ୍ୱପ୍ନ ବାସ୍ତବ ରୂପ ନେବାରେ ଅର୍ଥ ଏବେ ବଡ଼ ପ୍ରତିବନ୍ଧକ ସାଜିଛି। ତେଣୁ ସରକାର ଅଥବା କୌଣସି ଅନୁଷ୍ଠାନ-ବ୍ୟକ୍ତି ଚନ୍ଦନଙ୍କ ପାଠପଢ଼ା ପାଇଁ ସହାୟତା କରିବାକୁ ଆଗେଇ ଆସିଲେ ତାଙ୍କ ସ୍ୱପ୍ନ ପୂରଣ ହେବା ସହ ଅଞ୍ଚଳର ଗୌରବ ବୃଦ୍ଧି ହୋଇପାରିବ ବୋଲି ତାଙ୍କ ବାପା ପ୍ରଦାପ ଆଶା ପ୍ରକାଶ କରିଛନ୍ତି ।