ଘୁଂଚିଲା ଜେଇଇ ଆଉ ନିଟ୍ ପରୀକ୍ଷା; ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲଙ୍କ ସୂଚନା; ସେପ୍ଟେମ୍ବର ୧ରୁ ୬ ତାରିଖ ଯାଏ ହେବ JEE ମେନ୍‌ ପରୀକ୍ଷା, ସେପ୍ଟେମ୍ବର ୨୭ରେ JEE ଆଡ‌ଭାନ୍ସ

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET ସେପ୍ଟେମ୍ବର ୧୩ରେ

196

କନକ ବ୍ୟୁରୋ: ଘୁଂଚିଲା ଜେଇଇ ଆଉ ନିଟ୍ ପରୀକ୍ଷା । ଏନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ୱିଟ୍ ଯୋଗେ ବାର୍ତା ଦେଇ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ । ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ଏହି ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ଓ ନିଟ୍ ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ଜେଇଇ ମେନ୍ ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ଜେଇଇ ଆଡଭାନ୍ସ ପରୀକ୍ଷା ସେପ୍ଟେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବ । ଅନ୍ୟପଟେ ସେପ୍ଟେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପୋଖରିଆଲ ସୂଚନା ଦେଇଛନ୍ତି ।

ଜାତୀୟ ପରୀକ୍ଷା ସଂସ୍ଥା – ଏନଟିଏର ମହାନିର୍ଦ୍ଦେଶକ ବିନିତ ଜୋଷୀଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷ ଜ୍ଞ କମିଟି କରୋନା ସଂକ୍ରମଣ ସମୟରେ ପ୍ରବେଶିକା ପରୀକ୍ଷାର ବାସ୍ତବତା  ଓ ଏହାର ପ୍ରଭାବ ନେଇ ଅନୁଧ୍ୟାନ କରି ପରାମର୍ଶ ଦେଇଥିଲେ । ଏହି ରିପୋର୍ଟ ଆଧାରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପରୀକ୍ଷାର ଦିନରେ ପରିବର୍ତନ କରିଛି । ପୂର୍ବରୁ ଜେଇଇ ମେନ୍ ପରୀକ୍ଷା ଜୁଲାଇ ୧୮ରୁ ୨୩ ଏବଂ ନିଟ୍-୨୦୨୦ ପ୍ରବେଶିକା ପରୀକ୍ଷା ଜୁଲାଇ ୨୬ରେ ଆୟୋଜନ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ତେବେ ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ପରୀକ୍ଷାକୁ ଘୁଂଚାଇବା ପାଇଁ ବହୁ ସଂଖ୍ୟାରେ ପରୀକ୍ଷାର୍ଥୀ ଦାବି କରିଥିଲେ ।