କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡିଛନ୍ତି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ଆସିଥିବା ଜାଣି ଲାଂଚୁଆ ବାବୁ ଛାତରୁ ଡିଆଁ ମାରି ପଡୋଶୀଙ୍କ ଘରେ ଲୁଚିଯାଇଥିଲେ । ଫେରାର ହେବାକୁ ଉଦ୍ୟମ ବି କରିଥିଲେ । ପ୍ରାୟ ୭-୮ ଘଂଟାର ଛକାପଞ୍ଝା ପରେ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀଙ୍କୁ ଧରିଥିଲେ ତଦନ୍ତକାରୀ ଦଳ । ଆଉ ଚଢାଉ ବେଳେ ବାବୁଙ୍କ ବାସଭବନର ସାଜସଜ୍ଜା, ସୌଖୀନ ସାମଗ୍ରୀ, କୋଟି କୋଟି ଟଙ୍କାର ସଂପତି ଦେଖି ତାଜୁବ ହୋଇଯାଇଛନ୍ତି ଭିଜିଲାନ୍ସ ଅଧିକାରୀ ।

Advertisment

ରାତି ପାହିଲା ବେଳକୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀଙ୍କ ବାସଭବନ ଉପରେ ଚଢାଉ କଲା ଭିଜିଲାନ୍ସ । କୁହାଯାଉଛି, ଭିଜିଲାନ୍ସ ଟିମ୍ ଘର ବେଲ ବଜାଇବା କ୍ଷଣି ଛାତ ଉପରକୁ ଯାଇ ପଡୋଶୀ ଘର ଛାତକୁ ଡେଇଁ ପଡି ଫେରାର ହେବାକୁ ଉଦ୍ୟମ କରିଥିଲେ । କେହି କେହି କହୁଥିଲେ ଘର ପଛ ପଟ ପାଚେରି ଡେଇଁ ପଳାଇ ଯାଇଥିଲେ । ଏପରି ମଧ୍ୟ ଚର୍ଚ୍ଚା ହେଲା, ପଡୋଶୀ ଘର ଛାତ ଉପରକୁ ଏକ ବ୍ୟାଗ ଫିଙ୍ଗି ଦେଇଥିଲେ ସୁନୀଲ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଘର ଭିତରେ ଯାଂଚ କରୁଥିଲେ ଭିଜିଲାନ୍ସ ଅଧିକାରୀ, କିନ୍ତୁ ଘରେ ନଥିଲେ ଜେଇ । ପ୍ରାୟ ୭-୮ ଘଂଟା ପର୍ଯ୍ୟନ୍ତ ଚାଲିଲା ଏହି ଲୁଚକାଳି ଖେଳ ।

ପଡୋଶୀ ଘରୁ ବାହାରିଲେ ଜେଇ ସୁନୀଲ ପାଢ଼ୀ । ସାମ୍ବାଦିକଙ୍କ ପ୍ରଶ୍ନକୁ ବାଏଁ ବାଏଁ ଉଡାଇଲେ । ଫେରାର ହେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚାକୁ ମଧ୍ୟ ଖଣ୍ଡନ କଲେ । ଲାଂଚ ନେବା ଏବଂ ଅସତ ଉପାୟରେ କୋଟି କୋଟି ଟଙ୍କା ଚଳୁ କରିଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କଲେ ।

କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢ଼ୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ରହିଛି । କୁହାଯାଉଛି, ବିନା ଲାଂଚରେ ଫାଇଲ୍ ଆଗକୁ ବଢ଼ାନ୍ତି ନାହିଁ ଏହି ସରକାରୀ ବାବୁ । ନିଜ ପଦବୀର ଅପବ୍ୟବହାର କରି ଅସଦ ମାର୍ଗରେ ବିପୁଳ ସଂପତିର ମାଲିକ ହୋଇଛନ୍ତି । ଚଢାଉ ବେଳେ ଭୁବନେଶ୍ୱରରେ ଆଲିସାନ ବଙ୍ଗଳା, ଦାମୀ ଆସବାବପତ୍ର, ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସାଜସଜା ସାମଗ୍ରୀ ଦେଖି ତାଜୁବ ହୋଇ ଯାଇଛି ଭିଜିଲାନ୍ସ ।

ଯାଂଚ ବେଳେ ଭୁବନେଶ୍ୱରରେ ୧ କୋଟି ୧୦ ଲକ୍ଷ ଟଙ୍କାର ତିନ ମହଲା କୋଠା, ଆସିକାରେ ମାର୍କେଟ କମ୍ପେ୍ଲକ୍ସ, ୩ ଲକ୍ଷ ୪୦ ହଜାର ନଗଦ ଟଙ୍କା, ୧୭ଟି ବ୍ୟାଙ୍କ ଆକାଉଂଟ ଠାବ କରିଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ଜମି ଓ ପ୍ଲଟ, ବୀମା, ପୋଷ୍ଟାଲ ଜମାଗୁଡିକୁ ଯାଂଚ କରାଯାଉଛି । ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ଆହୁରି ଅନେକ ସଂପତି ମିଳିବ ବୋଲି ଅନୁମାନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । କେବଳ ଭୁବନେଶ୍ୱର ନୁହେଁ ୫ଟି ସ୍ଥାନରେ ହୋଇଛି ଭିଜିଲାନ୍ସ ରେଡ୍ । ଆସିକା ସ୍ଥିତ ପୈତୃକ ଘର, ବସଷ୍ଟାଣ୍ଡ ନିକଟରେ ଜଗା ମାର୍କେଟ କମ୍ପେ୍ଳକ୍ସ, ଉପରେ ବି ଭିଜିଲାନ୍ସର ଦୁଇଟି ଟିମ୍ ଚଢାଉ କରିଛି । ଭଂଜନଗରରେ ସୁନୀଲଙ୍କ ଶ୍ୱଶୁର ଘରେ ମଧ୍ୟ ଚଢାଉ ହୋଇଛି । ବୋଲଗଡ଼ ପାନୀୟ ଜଳ ବିଭାଗ ଜେଇ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ୍ କରିଛି । ଶୁଣିବାକୁ ମିଳିଛି ସୁନୀଲଙ୍କ ବାପା ଜଗବନ୍ଧୁ ପାଢୀ ଜଣେ ଅବସରର ପ୍ରାପ୍ତ ରେଂଜର । ସେ ମଧ୍ୟ ପୂର୍ବରୁ ତିନି ଥର ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି ।