ବିଜେପି ପରେ ପଶ୍ଚିମବଙ୍ଗରେ ମମତାଙ୍କ ପାଇଁ କାଳ ହେବେ କି ନିତୀଶ । ବିଧାନସଭା ନିର୍ବାଚନରେ ୭୫ ଆସନରେ ଲଢିବାକୁ ଘୋଷଣା । ସେପଟେ ମମତାଙ୍କ ସମର୍ଥନରେ ତେଜସ୍ୱୀ

265

କନକ ବ୍ୟୁରୋ : ଆସନ୍ତା ବର୍ଷ ପଶ୍ଚମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେ ଠାରୁ ରାଜନୈତିକ ଦଳ ମାନେ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ କ୍ଷମତାରେ ଥିବା ଟିଏମସି ଓ କେନ୍ଦ୍ର କ୍ଷମତାରେ ଥିବା ବିଜେପି ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମଳିଛି । ଏହାରି ମଧ୍ୟରେ ବିହାରରେ କ୍ଷମତା ଦଖଲ କରିଥିବା ନିତୀଶ କୁମାରଙ୍କ ଜେଡିୟୁ ବି ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି । ପାର୍ଟି ଦାବି କରିଛି କି ଦଳ ପକ୍ଷରୁ ପଶ୍ଚିମବଙ୍ଗ ବିଧାନସଭାରେ ୭୫ ଆସନ ପାଇଁ ପ୍ରାର୍ଥୀ ଦେବ ।

ଜେଡିୟୁର ପଶ୍ଚିମବଙ୍ଗ ପ୍ରଭାରୀ ଗୁଲାମ ରସୁଲ ବଲିୟାବୀ ନିର୍ବାଚନରେ ପ୍ରାର୍ଥୀ ଦେବା କଥା କହିଛନ୍ତି । ସେ କହିଛନ୍ତି କି ଏନେଇ ସେ ଲଗାତର ଭାବେ ପଶ୍ଚିମବଙ୍ଗ ଜେଡିୟୁ ନେତାଙ୍କ ସହିତ ସଂପର୍କରେ ରହିଛନ୍ତି । ଏହା ସହ ନିର୍ବାଚନରେ ଜେଡିୟୁ ୭୫ ଟି ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତ ଚଳାଇଥିବା କଥା ବଲିୟାବୀ କହିଛନ୍ତି । ଏହା ସହ ସେ କହିଛନ୍ତି କି ବିହାର ସୀମାରେ ଥିବା ପଶ୍ଚିମବଙ୍ଗର କିଛି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଦଳ ଅଗ୍ରାଧିକାର ଦେଉଥିବା କଥା ସେ କହିଛନ୍ତି । ଏନେଇ ପଶ୍ଚିମବଙ୍ଗ ଜେଡିୟୁର ମୁଖ୍ୟ ଓ ନିତୀଶ କୁମାରଙ୍କ ସହ ଖୁବଶୀଘ୍ର ବୈଠକ ବସିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ମେଣ୍ଟସରକାର ଥିବା ବେଳେ ପଶ୍ଚିମବଙ୍ଗରେ ଜେଡିୟୁ ଏକା ଲଢିବା ନା ପୁଣି ବିଜେପି ସହିତ ଗଠବନ୍ଧନ କରିବ ନେଇ ପ୍ରଶ୍ନର ଉତ୍ତର ଦେଇ ବଲିୟାବୀ କହିଛନ୍ତି କି ଦଳର ମୁଖ୍ୟ ଏନେଇ ତୁରନ୍ତ ବିଜେପି ସହିତ ଆଲୋଚନା କରିବେ । ଏନେଇ ବିଜେପି ସହିତ ଯଦି ସହମତି ହେବ ତାହେଲେ ଦଳ ସେଠାରେ ୭୫ ଟି ଆସନରେ ପ୍ରାର୍ଥୀ ଦେବ । ଏହା ସହ ସେ କହିଛନ୍ତି କି ଜେଡିୟୁ ବିଜେପିର ସହଯୋଗୀ ଦଳ । ହେଲେ ଝାଡଖଣ୍ଡ ନିର୍ବାଚନରେ ଜେଡିୟୁ ଏକା ଲଢିଥିବା କଥା ସେ କହିଛନ୍ତି ।
ଏହାକୁ ନେଇ ବିଜେପି ନେତା ସଞ୍ଜୟ ମୟୁଖ କହିଛନ୍ତି କି ଏହା ପୂର୍ବରୁ ବି ବିଭିନ୍ନ ରାଜ୍ୟରେ ଜେଡିୟୁ ଓ ବିଜେପି ଅଲଗା ଅଲଗା ଭାବେ ନିର୍ବାଚନ ଲଢିଛନ୍ତି । ଏଠାରେ ଯଦି ଉଭୟ ଦଳଙ୍କ ମଧ୍ୟରେ ସହମତି ହେଲା ତାହେଲେ ଠିକ୍ ଅଛି ନହେଲେ ବିଜେପି ଏଠାରେ ଏକାକି ନିର୍ବାଚନ ଲଢିବାରେ କିଛି ଅସୁବିଧା ନାହିଁ ।

ସେପଟେ ଗୋଟଏ ପକ୍ଷରେ ଜେଡିୟୁ ପଶ୍ଚିମବଙ୍ଗରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଥିବା ବେଳେ ବିହାରରେ ମୁଖ୍ୟ ବିରୋଧୀଦଳ ଆରଜେଡି ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ସପକ୍ଷରେ ପ୍ରଚାର କରିବ ବୋଲି ଜଣାପଡିଛି । ଆରଜେଡି ନେତା ଶ୍ୟାମ ରଜକ କହିଛନ୍ତି କି ଆମ ପାର୍ଟି ଚାହୁଁଛି କି ମମତା ବାନାର୍ଜୀ ପୁଣି ଥରେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଏନେଇ ଦଳ ମମତାଙ୍କ ସପକ୍ଷରେ କିଭଳି ରଣନୀତି ପ୍ରସ୍ତୁତ କରିବ ତାହା ଏବେ ଆଲୋଚନା ଚାଲିଛି ।