ନୀତିଶ ଏନଡିଏର ହାତ ଛାଡିବା ପରେ ରାଜ୍ୟସଭାରେ ଦୁର୍ବଳ ହେଲା ବିଜେପି, ଜାଣନ୍ତୁ କଣ ରହିଛି ସଂଖ୍ୟା ଗଣିତ

2,061

କନକ ବ୍ୟୁରୋ : ଜନତା ଦଳ ୟୁନାଇଟେଡ ପ୍ରମୁଖ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣିଥିରେ କେନ୍ଦ୍ରରେ କ୍ଷମତାସୀନ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟରୁ ସଂପର୍କ ତୁଟାଇ ଦେଇଛନ୍ତି । ଏବେ ନୀତିଶ କୁମାର ପୁଣିଥରେ ମହାଗଠବନ୍ଧନ ସହିତ ଜୋଡି ହୋଇ ଆଜି ଅଷ୍ଟମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ସେପଟେ ଗତ ୩ ବର୍ଷ ମଧ୍ୟରେ ଏନଡିଏର ହାତ ଛାଡିଥିବା ଦଳମାନଙ୍କ ମଧ୍ୟରେ ଜେଡିୟୁ ତୃତୀୟ ଦଳ । ଏହ ପୂର୍ବରୁ ଶିବସେନା ଓ ଅକାଳୀ ଦଳ ଏନଡିଏର ହାତ ଛାଡିଥିଲେ । କହିରଖୁ କି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବି ତେଲୁଗ ଦେଶମ୍ ପାର୍ଟି ମଧ୍ୟ ଏନଡିଏର ହାତ ଛାଡିଥିଲା ।

ନୀତିଶ କୁମାର କେବଳ ଏନଡିଏର ହାତ ଛାଡିବା ପରେ ବିଜେପି ହାତରୁ ବିହାରର ଶାସନ କ୍ଷମତା ଜାଇ ନାହିଁ ବରଂ ଏହାସହ ରାଜ୍ୟସଭାରେ ବି ଏବେ ବିଜେପି ଦୁର୍ବଳ ହୋଇଛି । ଏବେ ରାଜ୍ୟସଭାରେ କୌଣସି ବିଧେୟକ ପାରିତ କରିବାକୁ ହେଲେ ବିଜେପିକୁ ଓଡିଶାର ବିଜେଡି ଓ ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସର ସମର୍ଥନ ଦରକାର ପଡିବ ।

କହିରଖୁ ଜେଡିୟୁ ଏନଡିଏର ସମର୍ଥନରେ ଥିବା ବେଳେ ବି ରାଜ୍ୟସଭାରେ ବିଲ ପାରିତ କରିବା ସରକାରଙ୍କ ପାଇଁ କଷ୍ଟକର ହୋଇପଡୁଥିଲା । କାରଣ ରାଜ୍ୟସଭାରେ ମୋଟ ସାଂସଦଙ୍କ ସଂଖ୍ୟା ୨୩୭ ହୋଇଥିବା ବେଳେ ବହୁମତ ପାଇଁ ୧୧୯ ସାଂସଦଙ୍କ ସମର୍ଥନ ଆବଶ୍ୟକ ପଡିଥାଏ । ଏବେ ଜମ୍ମୁ କାଶ୍ମୀରର ୪ ଟି ତ୍ରିପୁରାର ଗୋଟିଏ ଓ ୩ ଟି ମନୋନୀତ ଆସନ ଖାଲି ପଡିଛି । ଜଣେ ସ୍ୱାଧୀନ ଓ ୫ ଜଣ ମନୋନୀତ ସଦସ୍ୟଙ୍କୁ ମିଶାଇ ଏବେ ଏନଡିଏ ପାଖରେ ମୋଟ ୧୧୫ ଜଣ ସାଂସଦଙ୍କ ସମର୍ଥନ ରହିଛି । ହେଲେ ଜେଡିୟୁ ଏନଡିଏର ହାତ ଛାଡିବା ପରେ ଏହି ସଂଖ୍ୟା ୧୧୦ ରେ ପହଂଚିଯିବ । ଏବେ ବହୁମତ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ୯ ଜଣ ସାଂସଦଙ୍କ ସମର୍ଥନ କମ୍ ରହିଛି । ରାଜ୍ୟସଭାରେ ଜେଡିୟୁର ୫ ଜଣ ସାଂସଦ ରହିଛନ୍ତି ଓ ରାଜ୍ୟସଭା ଉପସଭାପତି ହରିବଂଶ ବି ଜେଡିୟୁ ସାଂସଦ ।