ବିହାର ସମ୍ଭାଳିବେ ନୀତିଶ । ସଂଜୟ ଝା ଙ୍କ ହାତରେ ଦେଲେ କେନ୍ଦ୍ର ନେତୃତ୍ୱ

336

କନକ ବ୍ୟୁରୋ : ବିହାରର କ୍ଷମତାଧାରୀ ଜେଡିୟୁ ବା ସଂଯୁକ୍ତ ଜନତା ଦଳ ମୁଖ୍ୟ ନୀତିଶ କୁମାରଙ୍କୁ ନେଇ ସର୍ବଦା ଚର୍ଚ୍ଚା । ଚର୍ଚ୍ଚା ପଛରେ ଗୋଟିଏ କାରଣ ମେଣ୍ଟ ବଦଳ । କେତେବେଳେ ଏନଡିଏ ତ କେତେବେଳେ ଇଣ୍ଡିଆ ମେଣ୍ଟରେ ସାମିଲ ହୋଇ ବଡ ବଡ ଦଳମାନଙ୍କୁ ପାଣି ପିଆଉଛନ୍ତି । ଏହି କ୍ରମରେ ଏବେ ସେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟରେ ସାମିଲ ଅଛନ୍ତି । ହେଲେ ପୁଣି ଚର୍ଚ୍ଚା ହେଉଛି କି ନୀତିଶ କୁମାର ଇଣ୍ଡିଆ ମେଣ୍ଟକୁ ଫେରିବେ । ଏସବୁ ଭିତରେ ଆଜି ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଦିଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନାଲ କ୍ଲବରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟାକାରିଣୀ ଅଧ୍ୟକ୍ଷ ଭାବେ ସଂଜୟ ଝାଙ୍କୁ ଚୟନ କରାଯାଇଛି । ସଂଜୟଙ୍କ ନାମ ନୀତିଶ କୁମାର ହିଁ ପ୍ରସ୍ତାବ ଦେଇଥିଲେ ।

କେବଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୁହେଁ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଜୋରଦାର ଆଲୋଚନା ହୋଇଥିବା ସୂଚନା ରହିଛି । ବିହାରକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କରିବା ସହ ଆଗାମୀ ଝାଡଖଣ୍ଡ ନିର୍ବାଚନକୁ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଇଛି । ସେହିଭଳି ଆଗାମୀ ବିହାର ବିଧାନସଭା ନିର୍ବାଚନକୁ ନେଇ ଏନଡିଏ ମେଣ୍ଟରେ ଦେଖାଦେଇଥିବା ଫାଟ ବାବଦରେ ମଧ୍ୟ ଆଲୋଚନା ହୋଇଛି ।

କିଛିମାସ ପୂର୍ବରୁ ବିହାର ବିଜେପିର ବରିଷ୍ଠ ନେତାମାନେ ଆଗାମୀ ବିଧାନସଭା ନିର୍ବାଚନ ନୀତିଶ କୁମାରଙ୍କ ନେତୃତ୍ୱରେ ଲଢାଯିବ ବୋଲି ସଂକେତ ଦେଇଥିଲେ ବି ଏବେ ଏହାକୁ ନେଇ ବିହାର ବିଜେପି ମଧ୍ୟରେ ଫାଟ ଦେଖାଦେଇଉଛି । ବିହାର ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶନ୍ୱୀ ଚୌବେ କହିଛନ୍ତି କି, ବିହାର ବିଧାନସଭା ନିର୍ବାଚନ ଏନଡିଏ ମେଣ୍ଟ ବିଜେପି ନେତୃତ୍ୱରେ ଲଢିବ ଓ ବିଜେପି ଏକାକୀ ସରକାର କରିବାର କ୍ଷମତା ହାସଲ କରିବ । ହେଲେ ଏଥିରେ ସହମତି ହୋଇନାହାଁନ୍ତି ବିହାର ବିଜେପି ନେତା ତଥା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ସେପଟେ ଅକଳରେ ପଡି ବିହାରରେ ବିଜେପି ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି । କାରଣ ବିହାର ବିଧାନସଭାରେ ନୀତିଶ କୁମାରଙ୍କ ଜେଡିୟୁ ତୁଳନାରେ ବିଜେପି ପାଖରେ ଦ୍ୱିଗୁଣା ବିଧାୟକ ରହିଛନ୍ତି । ଏହାସହ ଚଳିତ ଲୋକସଭା ନିର୍ବାଚନରେ ଜେଡିୟୁ ଭଲ ପ୍ରଦର୍ଶନ କରିଥିବାରୁ ଦଳ ଏକାକୀ ରାଜ୍ୟରେ କ୍ଷମତା ହାସଲ କରିବାକୁ ଚେଷ୍ଟା କରିବ ଓ ଏହାର ମଙ୍ଗ ସିଧାସଳଖ ନୀତିଶ କୁମାର ଧରିବେ ।