କନକ ବ୍ୟୁରୋ: ଭୁବନେଶ୍ୱର ନୟାପଲ୍ଲୀ ଅଂଚଳର ବିବାଦୀୟ ଜମିକୁ ପୋଜେସନ ଦେବା ନାଁରେ ରାତି ଅଧିଆ ଗଣ୍ଡଗୋଳ ଓ ଭଙ୍ଗାରୁଜା ଘଟଣାରେ ଆକ୍ସନ ମୋଡରେ କମିଶନରେଟ ପୁଲିସ । ଅପରାଧର ମାଷ୍ଟରମାଇଣ୍ଡ କୁହାଯାଉଥିବା ରାଘବ ଜେନା ଫେରାର ହୋଇଯାଇଛି । କିନ୍ତୁ ଝାରପଡାରେ ତାର ଜବରଦଖଲ ସାମ୍ରାଜ୍ୟ ଉପରେ ୟୁପି ଷ୍ଟାଇଲରେ ଜେସିବି ଲଗାଇ ପ୍ରାୟ ୩୦ ଘରକୁ ମାଟିରେ ମିଶାଇଦିଆଯାଇଛି । ଦୀର୍ଘବର୍ଷ ଧରି ରାଜଧାନୀର ଛାତି ଉପରେ ଥିବା ସରକାରୀ ଜାଗାରେ ବେଆଇନ ଘର କରି ଲୋକଙ୍କୁ ଭଡାରେ ଦେଇ ଟଙ୍କା ଆଦାୟ କରୁଥିଲା ରାଘବ । ଆଉ ଏହି ଟଙ୍କାରେ ବିଛାଇଥିଲା ଅପରାଧର ସାମ୍ରାଜ୍ୟ । ପୁଲିସ ଜେସିବି ଲଗାଇ ଘର ଭାଙ୍ଗୁଥିବାବେଳେ ସେଠାରେ କିଛି ସମୟ ପାଇଁ ଉତେଜନା ଦେଖାଦଇଥିଲା । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ନୟାପଲ୍ଲୀ ଇସ୍କନ ମନ୍ଦିର ନିକଟରେ ଜମି ପୋଜେସନ ଦେବା ନାଁରେ ଏକ କନଷ୍ଟ୍ରସନ ଦୋକାନକୁ ରାତି ଅଧିରେ ଜେସିବି ଲଗାଇ ସଂପୂର୍ଣ୍ଣ ଗୁଣ୍ଡ କରିଦେଇଥିଲେ ରାଘବ ଜେନା ଓ ତାର ଗ୍ୟାଙ୍ଗ ସଦସ୍ୟ । ମାରଣାସ୍ତ୍ର ଦେଖାଇ ରାଘବଙ୍କ ବାଉନ୍ସର ଦୋକାନ ମାଲିକ ଓ କର୍ମଚାରୀଙ୍କୁ ବନ୍ଦୀ କରି ଲୁଟି ନେଇଥିଲେ । ଏକ ବସ ଯୋଗେ ଶହେରୁ ଅଧିକ ଲୋକ ଏହି ଘଟଣାରେ ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରେ ଥିଲେ ପୁରୁଷ ଓ ମହିଳା ବାଉନ୍ସର । ଏବେ ଯେସାକୁ ତେସା ନ୍ୟାୟରେ କମିଶନରେଟ ପୁଲିସ ମାଷ୍ଟରମାଇଣ୍ଡ ରାଘବ ଜେନାର ବେଆଇନ ସମ୍ରାଜ୍ୟକୁ ଜେସିବି ଲଗାଇ ଧ୍ୱଂସ କରିଦେଇଛି ।
ମାମଲାରେ ବର୍ତମାନ ସୁଦ୍ଧା ୧୯ଜଣଙ୍କୁ ଗିରଫ କରିସାରିଲାଣି କମିଶନରେଟ ପୁଲିସ । ହେଲେ ମାଷ୍ଟରମାଇଣ୍ଡ ରାଘବ ଜେନା ଓ ପୋଜେସନ ନେବାକୁ ଚାହୁଁଥିବା ଲୋକେ ବର୍ତମାନ ସୁଦ୍ଧା ଫେରାର ଅଛନ୍ତି । ଆଉ ସେମାନଙ୍କୁ ଧରିବାକୁ କମିଶନରେଟ ପୁଲିସ ଜାଲ ବିଛାଇଛି ।