ବିଜେଡିରେ ବେଇମାନ୍ ଝଡ ! ହାତରେ ଗଢିଥିବା ନେତା ପଛରୁ ମାରିଲେ ଛୁରୀ

40

କନକ ବ୍ୟୁରୋ : କୋରାପୁଟ ରାଜନୀତିରେ ବିଜେଡି ବନାମ ବିଜେଡି । ଦୁଇ ବରିଷ୍ଠ ନେତା ମୁହାଁମୁହିଁ । ରବି ନନ୍ଦଙ୍କୁ ବେଇମାନ ବୋଲି କହିଛନ୍ତି ପୂର୍ବତନ ବିଜେଡି ସାଂସଦ ଜୟରାମ ପାଙ୍ଗି । ରବିଙ୍କୁ ସେ ରାଜନୀତିକୁ ଆଣିଥିଲେ ଓ ସେ ହିଁ ତାଙ୍କୁ ଧୋକ୍କା ଦେଲେ ବୋଲି ଅଭିଯୋଗ କରିଛନ୍ତି ଜୟରାମ । ସେପଟେ ରବି ନନ୍ଦ କହିଛନ୍ତି ଚରିତ୍ର ସଂହାର କରିବା ଜୟରାମଙ୍କ ପୁରୁଣା ଅଭ୍ୟାସ ।

ଦିନେ ଯେଉଁମାନଙ୍କ ରାଜନୈତିକ କ୍ୟାରିୟର ଗଢିଥିଲେ ଆଜି ସେହିମାନେ ତାଙ୍କ ପାଇଁ ଖାତ ଖୋଳିଛନ୍ତି । ପାଙ୍ଗି କହିଛନ୍ତି, ଦୀର୍ଘ ୪୦ ବର୍ଷ ଧରି ଦଳପାଇଁ କାମ କରିଆସିଥିବାବେଳେ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛନ୍ତି ରବି ନନ୍ଦ, ଝିନ୍ନ ହିକ୍କା ଓ ଈଶ୍ୱର ପାଣିଗ୍ରାହୀ ।

ନିକଟରେ ଶେଷ ହୋଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଜୟରାମ ପାଙ୍ଗିଙ୍କ ଭୂମିକା ଥିଲା ସନ୍ଦେହଜନକ । ଆଉ ସେଥିପାଇଁ ତାଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ହେଲେ ଏହାକୁ ଅସହିଷ୍ଣୁତାର ଆକ୍ଷା ଦେଇଛନ୍ତି କୋରାପୁଟ ରାଜନୀତିର ଏହି ପ୍ରଭାବଶାଳୀ ନେତା ।

ଦିଲ୍ଲୀରୁ ଫେରି ନାହାନ୍ତି ବିଜେଡି ସୁପ୍ରିମୋ । ଆଉ ଏହାରି ଭିତରେ ଜୟରାମ ପାଙ୍ଗିଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ନିଲମ୍ବନ ନେଇ ତାଙ୍କ ନିକଟରେ କୌଣସି ଲିଖିତ ସୂଚନା ପହଂଚି ନଥିବା କହିଛନ୍ତି ପାଙ୍ଗି । କୋରାପୁଟରେ କିନ୍ତୁ ପଂଚାୟତ ନିର୍ବାଚନ ପରବର୍ତି ବୟାନବାଜି ଜିଲ୍ଲା ଓ ରାଜ୍ୟ ରାଜନୀତିକୁ ରୋଚକ କରିଛି ।