ଚର୍ଚ୍ଚାରେ ଜୟପୁରର ମାଉଣ୍ଟେନ ବୟ ଦେବାଂଶ । ବଡ଼ ବଡ଼ିଆଙ୍କୁ ପଛରେ ପକାଇ ପାହାଡ ଚଢୁଛି ୯ ବର୍ଷର ବାଳକ

218

କନକ ବ୍ୟୁରୋ: ଚର୍ଚ୍ଚାରେ ଜୟପୁରର ମାଉଟେଂନ ବୟ ଦେବାଂଶ । ୪ର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା ଏହି ଶିଶୁ ଜଣଙ୍କ ବଡ଼ ବଡ଼ିଆଙ୍କୁ ପଛରେ ପକାଇ ୪ କିମି କଣ୍ଡା ମାଳି ଉଚ୍ଚ ପାହାଡ଼ ଚଢ଼ି ଶୀର୍ଷରେ ପହଞ୍ଚିବା ଘଟଣା ଜିଲ୍ଳାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆଗରୁ ମଧ୍ୟ ଏପରି ୩ ଟି ପାହାଡ଼ ଚଢ଼ିଥିବା ବେଳେ ଶିଶୁର ଏଭଳି ଉଦ୍ୟମକୁ ସହଯୋଗ କରି କରି ଆସୁଛି ଡ଼ଙ୍ଗରିଆ ଗ୍ରୁପ୍ ।

ଚତୁର୍ଥ ଶ୍ରେଣୀରେ ପାଠପଢୁଥିବା ଜୟପୁରର ଦେବାଂଶଙ୍କ ମନରେ ଅଛି ଅନେକ ଆଶା । କିଛି ନୁଆ କରିବାର ଇଛା । ଯେଉଁ ଆଶାକୁ ନେଇ ପାହାଡ଼ ଚଢୁଛି କୁନି ପୁଅ । ଯେଉଁଠିକୁ ଚଢିବା ପାଇଁ ବଡ଼ ଲୋକ ଭୟ କରନ୍ତି ସେହି ପାହାଡ ଚଢି ଚର୍ଚ୍ଚାକୁ ଆସିଛନ୍ତି ଦେବାଂଶ । ସହର ନିକଟ ସବୁଠାରୁ ବଡ଼ ପାହାଡ଼ କଣ୍ଡାମାଳି । ପାହାଡ ଉଚ୍ଚତା ୩୦୦ ମିଟର, ହେଲେ ଏହାର ଶିଖରରେ ପହଂଚିବା ପାଇଁ ଚାଲିବାକୁ ପଡେ ୪ କିଲୋମିଟର ରାସ୍ତା । ପାହାଡ ଚଢିବା ଯେତିକି ସମୟ ଲାଗେ, ଓହ୍ଲାଇବାକୁ ତାଠାରୁ ଅଧିକ ସମୟ ଲାଗେ । ହେଲେ ମାତ୍ର ଅଢେଇ ଘଂଟାରେ କଣ୍ଡାମାଳି ପାହାଡର ଶିଖରରେ ପହଂଚି ପୁଣି ତଳକୁ ଓହ୍ଲାଇଛନ୍ତି କୁନି ପର୍ବତାରୋହୀ ଦେବାଂଶ ।

କୁନି ପର୍ବତାରୋହୀଙ୍କ ପାହାଡ ଚଢା ନିଶା ପଛରେ ରହିଛି ବାପା ରାଜେଶ ପାଣିଗ୍ରାହୀଙ୍କ ପ୍ରେରଣା । ହେଲେ ଦେବାଂଶଙ୍କୁ ଆଗକୁ ନେବା ପାଇଁ ସବୁ ପ୍ରକାର ସହଯୋଗ କରୁଛି କୋରାପୁଟର ଡ଼ଙ୍ଗରିଆ ଗ୍ରୁପ । ନିଶା ନିବାରଣ ସହ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ କାର୍ଯ୍ୟକ୍ରମ ଜାରି ରଖିଛି ଏହି ଗ୍ରୁପ । ତେବେ କୋରାପୁଟ ଜ୍ିଲ୍ଳାରେ ପାହାଡ଼ ଚଡ଼ିବା ହେଉ କି ଆଡ଼ଭେଂଚର ସ୍ପୋର୍ଟ୍ସ । ସବୁ କିଛି ପାଇଁ ବିପୁଳ ସୁଯୋଗ ରହିଛି । ଏହାସହ କୋରାପୁଟର ସବୁଜିମା ପରିବେଶ ସମସ୍ତଙ୍କୁ ଆକର୍ଷିତ କରେ ।