ଜୟପୁରରେ ଚାଲିଛି ମତଦାନ । ତାରା-ରବିଙ୍କ ଜବରଦସ୍ତ ଲଢ଼େଇ, ବିଜେଡି-କଂଗ୍ରେସକୁ ଟକ୍କର ଦେଇପାରିବେ କି ବିଜେପିର ନୂଆ ମୁହଁ?

106

କନକ ବ୍ୟୁରୋ: କୋରାପୁଟ ସଂସଦୀୟ କ୍ଷେତ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ମଧ୍ୟରେ ଜୟପୁର ବିଧାନସଭା ଆସନ ଗୁରୁତ୍ୱବହନ କରେ । କାରଣ ଜୟପୁର ବିଧାନସଭା ଆସନ ଦଖଲ ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ସର୍ବଦା ଛକାପଞ୍ଝା ଲାଗି ରହିଥାଏ । ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ଏବଂ ବିଜେପିର ସିପାହୀ ପ୍ରସ୍ତୁତ ହୋଇଥିବାବେଳେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଏଠାରେ ମତଦାନ ଦେଉଛନ୍ତି ମତଦାତା ।

ରାଜ୍ୟ ରାଜନୀତିର ଦୁଇ ହେଭିୱେଟ ନେତାଙ୍କ ଲଢେଇକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛି କୋରାପୁଟର ଜୟପୁର ବିଧାନସଭା ଆସନ । ଆଉ ଏସବୁ ଭିତରେ ୨୦୧୯ ନିର୍ବାଚନରେ ପୁଣିଥରେ କଂଗ୍ରେସ ତାରାଙ୍କୁ ବାଛିଥିବାବେଳେ ବିଜେଡି ପୁନର୍ବାର ରବିଙ୍କୁ ପ୍ରାର୍ଥୀ କରିବାକୁ ମନସ୍ଥ କରିଛି । ସେପଟେ ବିଜେପି ଏଥର ନୂଆ ମୁହଁ ଗୌତମ ସାମନ୍ତରାୟଙ୍କୁ ଉଭୟଙ୍କ ବିରୋଧରେ ପ୍ରାର୍ଥୀ କରି ମୈଦାନକୁ ଓହ୍ଲାଇଛି । ତେବେ ୫ ବର୍ଷ ପରେ ତାରା ଚମକିବେ ନା ପୁଣିଥରେ ଉଦୟ ହେବେ ରବି ନା ବିଜେପିର ନୂଆ ମୁହଁ ଗୌତମ କିଛି ଚମକ୍ରାର କରି ଦେଖାଇବେ କି ତାହା ଭୋଟ ଫଳାଫଳ ପରେ ହିଁ ସ୍ପଷ୍ଟ ହୋଇଯିବ ।

ଜୟପୁର ବିଧାନସଭା ଆସନ ଗଠନ ହେବା ପରଠାରୁ ଏଠାରେ ୧୫ ଥର ନିର୍ବାଚନ ହୋଇଛି । ଯେଉଁଥିରେ କଂଗ୍ରେସ ସର୍ବାଧିକ ୮ ଥର ଜୟପୁର ଆସନକୁ ହାତେଇଛି । ୧୯୭୪ ମସିହାରୁ ଲଗାତାର ଜିତି ଆସୁଥିବା କଂଗ୍ରେସର ବିଜୟରଥରେ ପ୍ରଥମଥର ପାଇଁ ୨୦୦୦ ମସିହାରେ ବ୍ରେକ ଲଗାଇଥିଲା ବିଜେଡି । ଆଉ ଏହାସହ ୨୦୦୦,୨୦୦୪ ଓ ୨୦୦୯ରେ ନିର୍ବାଚନ ଜିତିବା ସହ ହ୍ୟାଟ୍ରିକ ବିଜୟ ହାସଲ କରିଥିଲେ ରବି ନାରାୟଣ ନନ୍ଦ । ଯାହାର ଫଳ ସ୍ୱରୂପ ତାଙ୍କୁ ଗତ ସରକାରରେ ମଧ୍ୟ ମନ୍ତ୍ରୀପଦ ମିଳିଥିଲା । ୨୦୦୯ ନିର୍ବାଚନରେ ବିଜେପି ଟିକେଟରେ ଲଢିଥିବା ତାରା ପ୍ରସାଦ ବାହିନୀପତିଙ୍କୁ ପାଖାପାଖି ୧୦ହଜାର ଭୋଟରେ ହରାଇଥିଲେ ରବି । ଯାହାର ବଦଲା ୨୦୧୪ରେ କଂଗ୍ରେସ ଟିକେଟରେ ଲଢି ନେଇଥିଲେ ତାରା । ଆଉ ଏହାସହ ରବିଙ୍କ ଗଡରେ ଚମକି ଉଠିଥିଲେ ତାରା । ଏସବୁ ଭିତରେ ଆଗାମୀ ଆଜି ଏଠାରେ ମତଦାନ ହେଉଥିବାବେଳେ ତାରା ଓ ରବିଙ୍କ ମଧ୍ୟରେ ପୁଣିଥରେ ଜୋରଦାର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।