ଜୟପୁରରେ ହେବ ଜବରଦସ୍ତ ଲଢ଼େଇ ! ପୁଣି ତାରା-ରବିଙ୍କ ମଧ୍ୟରେ ଫାଇଟ୍, ବିଜେଡି-କଂଗ୍ରେସକୁ ଟକ୍କର ଦେବା ପାଇଁ କାହାକୁ ବାଛିବ ବିଜେପି ?

246

କନକ ବ୍ୟୁରୋ: ଜୟପୁର ବିଧାନସଭା ଆସନ ଦଖଲ ପାଇଁ ଚାଲିଛି ରଣନୀତି । ଶାସକ ବିଜେଡି ଓ ବିରୋଧୀ କଂଗ୍ରେସର ସେନାପତି ପ୍ରସ୍ତୁତ ହୋଇଥିବାବେଳେ ଏଠାରେ ବିଜେପିର ମଙ୍ଗ କିଏ ସମ୍ଭାଳିବ ତାହା ଏବେ ବି ଅସ୍ପଷ୍ଟ ରହିଛି । ତେବେ ରାଜ୍ୟ ରାଜନୀତିର ଦୁଇ ହେଭିୱେଟ ନେତାଙ୍କ ଲଢେଇକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛି କୋରାପୁଟର ଜୟପୁର ବିଧାନସଭା ଆସନ । ଆଉ ଏସବୁ ଭିତରେ ୨୦୧୯ ନିର୍ବାଚନରେ ପୁଣିଥରେ କଂଗ୍ରେସ ତାରାଙ୍କୁ ବାଛିଥିବାବେଳେ ବିଜେଡି ପୁନର୍ବାର ରବିଙ୍କୁ ପ୍ରାର୍ଥୀ କରିବାକୁ ମନସ୍ଥ କରିଛି । ତେବେ ୫ ବର୍ଷ ପରେ ତାରା ଚମକିବେ ନା ପୁଣିଥରେ ଉଦୟ ହେବେ ରବି ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

bjd and congress on kranti divasଜୟପୁର ବିଧାନସଭା ଆସନ ଗଠନ ହେବା ପରଠାରୁ ଏଠାରେ ୧୫ ଥର ନିର୍ବାଚନ ହୋଇଛି । ଯେଉଁଥିରେ କଂଗ୍ରେସ ସର୍ବାଧିକ ୮ ଥର ଜୟପୁର ଆସନକୁ ହାତେଇଛି । ୧୯୭୪ ମସିହାରୁ ଲଗାତାର ଜିତି ଆସୁଥିବା କଂଗ୍ରେସର ବିଜୟରଥରେ ପ୍ରଥମଥର ପାଇଁ ୨୦୦୦ ମସିହାରେ ବ୍ରେକ ଲଗାଇଥିଲା ବିଜେଡି । ଆଉ ଏହାସହ ୨୦୦୦,୨୦୦୪ ଓ ୨୦୦୯ରେ ନିର୍ବାଚନ ଜିତିବା ସହ ହ୍ୟାଟ୍ରିକ ବିଜୟ ହାସଲ କରିଥିଲେ ରବି ନାରାୟଣ ନନ୍ଦ । ଯାହାର ଫଳ ସ୍ୱରୂପ ତାଙ୍କୁ ଗତ ସରକାରରେ ମଧ୍ୟ ମନ୍ତ୍ରୀପଦ ମିଳିଥିଲା । ୨୦୦୯ ନିର୍ବାଚନରେ ବିଜେପି ଟିକେଟରେ ଲଢିଥିବା ତାରା ପ୍ରସାଦ ବାହିନୀପତିଙ୍କୁ ପାଖାପାଖି ୧୦ହଜାର ଭୋଟରେ ହରାଇଥିଲେ ରବି । ହେଲେ ୨୦୧୪ରେ କଂଗ୍ରେସ ଟିକେଟରେ ଲଢି ବଦଲା ନେଇଥିଲେ ତାରା । ଆଉ ଏହାସହ ରବିଙ୍କ ଗଡରେ ତାରା ଚମକି ଉଠିଥିଲେ । ଏସବୁ ଭିତରେ ଆଗାମୀ ଏପ୍ରିଲ ୧୧ ତାରିଖରେ ହେବାକୁଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ତାରା ଓ ରବିଙ୍କ ମଧ୍ୟରେ ପୁଣିଥରେ ଜୋରଦାର ଲଢ଼େଇ ହେବ ବୋଲି ଅପେକ୍ଷାରେ ରହିଛନ୍ତି ଜୟପୁର ଭୋଟର ।

ଦୁଇ ଭେଟେରାନ ନେତା ଟିକେଟ୍ ଘୋଷଣା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ନିଜ ନିଜର ପ୍ରସ୍ତୁତି ନେଇ ଚର୍ଚ୍ଚାରେ ରହିଥିଲେ । ଏପରିକି ବାହିନୀପତି ଯୁବ ଭୋଟରଙ୍କୁ ଟାର୍ଗେଟ କରିଥିଲାବେଳେ ରବି ନନ୍ଦ ବୟସ୍କ ଲୋକଙ୍କ ସମର୍ଥନ ହାତେଇବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏପରିକି ସେ ବୟସ୍କ ଲୋକଙ୍କୁ ମୁଣ୍ଡିଆ ମାରିବା ସହ ବୁଲି ବୁଲି ଆଶୀର୍ବାଦ ମାଗୁଥିବା ଘଟଣା ସ୍ଥାନୀୟ ଅଞ୍ଚଳ ରାଜନୀତିକୁ ସରଗରମ କରିଥିଲା । ତେବେ ବିଜେଡିର ଅନେକ ଆଶାୟୀ ଥିଲେ ମଧ୍ୟ ତାରାଙ୍କ ବିରୋଧରେ ରବିଙ୍କୁ ମୈଦାନକୁ ଓହ୍ଲାଇବା ପାଇଁ ବାଛିଛନ୍ତି ବିଜେଡି ସୁପ୍ରିମୋ ।

ଅନ୍ୟପଟେ ବିଜେପି ମଧ୍ୟ ଏହି ଆସନ ଉପରେ ନଜର ରଖିଥିଲେ ମଧ୍ୟ କିଏ ଏହି ଆସନରୁ ବିଜେପି ପାଇଁ ପ୍ରାର୍ଥୀ ହେବ ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ସେପଟେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇନଥିବାରୁ ଆଶାୟୀଙ୍କ ମଧ୍ୟରେ ଦ୍ୱନ୍ଦ ଲାଗିରହିଛି । ତେବେ ବିଜେପି ଏଠାରୁ କାହାକୁ ପ୍ରାର୍ଥୀ କରିବ ସସପେନ୍ସ ଲାଗି ରହିଥିବାବେଳେ ପୂର୍ବଥର ପରି ଭୃଗୁ ବକ୍ସିପାତ୍ରଙ୍କ ନାମ ଚର୍ଚ୍ଚା ହେଉଛି । ହେଲେ ଅନୁପ ପାତ୍ର, ଅକ୍ଷୟ ସାହୁ, ଦେବେନ୍ଦ୍ର ବାହିନୀପତି, ବିଜି ରାୟ ଜେନାଦେଓ ବିଜେପି ଟିକେଟ୍ ଦୌଡରେ ଅଛନ୍ତି । ତେବେ ବିଜେପି ଏଠାରେ କାହାକୁ ଓହ୍ଲାଇବ ତାହା ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ଗେରୁଆ କ୍ୟାମ୍ପରେ ଶୁଣିବାକୁ ମିଳୁଛି ।