କନକ ବ୍ୟୁରୋ : ପିଏମଜିରେ ପୋଲିସ ଖଣ୍ଡଯୁଦ୍ଧ ଘଟଣାରେ ଗିରଫ ହୋଇଥିବା ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ନେତାଙ୍କୁ ଝାରପଡା ଜେଲରେ ଭେଟିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଏହାସହ ଜୟନାରାୟଣ କହିଛନ୍ତି, ଆନ୍ଦୋଳନରେ ସାମିଲ ନଥିବା, ଚାହା ପାଣି ଦେବା ପାଇଁ ଆସିଥିବା ଲୋକଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ହାତରେ କ୍ଷମତା ଅଛି ବୋଲି ସେମାନେ ମାମଲା ରୁଜୁ କରିଦେଲେ । କିନ୍ତୁ ଆମେ ଦେଇଥିବା ଏଫଆଇଆର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ ।

Advertisment

ଓଡିଶା ପୋଲିସ ଏବେ ବିଜେଡ଼ିର କର୍ମୀ ଭଳି କାମ କରୁଛି । ପୋଲିସ ଡିଜି ଏହାକୁ ଯୋଜନାବଦ୍ଧ ଆକ୍ରମଣ ବୋଲି କହୁଛନ୍ତି । ଯଦି ପ୍ରି ପ୍ଲାନ ହୋଇଥାନ୍ତା ତେବେ ପୋଲିସ ନିଜ ହାତରେ ଅଣ୍ଡା ଧରି ଦେଖାଇ ପାରିଥାନ୍ତା କି ? ପୋଲିସ ବେକାର କଥା କହୁଛନ୍ତି । ନିଜେ ଅଣ୍ଡା ଆଣି ପକାଇଛନ୍ତି । ଯୁବମୋର୍ଚ୍ଚା କର୍ମୀଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି । ପୋଲିସର ଏମିତି କୁକର୍ମକୁ ଜୟନାରାୟଣ ନିନ୍ଦା କରିଛନ୍ତି ।

ଯେଉଁମାନେ ବିନା ୟୁନିଫର୍ମରେ ଆସି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନଙ୍କୁ ଗୋଇଠା ମାରିଛନ୍ତି ସେମାନେ ଅମଣିଷ । ସେମାନଙ୍କର ସାମାନ୍ୟତମ ମାନବିକତା ବୋଲି କିଛି ନାହିଁ । ଏମିତି କାମ ଯେଉଁ ସରକାର କରିଛନ୍ତି, ସେମାନେ ଯାଇଛନ୍ତି । ତେଣୁ ଏହି ସରକାରର ମଧ୍ୟ ଯିବା ସମୟ ଆସିଗଲାଣି ।